ମରିଗଲା ମାନବିକତା, ଡାକ୍ତରୀ ପେଶାରେ ଲାଗିଲା ଦାଗ :ଏଚଆଇଭି ସଂକ୍ରମିତ ଗର୍ଭବତୀ ମହିଳାଙ୍କୁ ଛୁଇଁଲେନି ଡାକ୍ତର ଓ ନର୍ସ,ଦୁନିଆ ଦେଖିବା ପୂର୍ବରେ ମାଆ ପେଟରେ ଆଖି ବୁଜି ଦେଇଥିଲା ଶିଶୁ

768

କନକ ବ୍ୟୁରୋ : ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲ ବିରୋଧରେ ଏପରି ଅଭିଯୋଗ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଚଆଇଭି ସଂକ୍ରମିତ ଗର୍ଭବତୀ ମହିଳା, ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ହେଲେ ତାଙ୍କୁ ଛୁଇଁଲେନି ଡାକ୍ତର ଓ ନର୍ସ । ଫଳରେ ଦୁନିଆ ଦେଖିବା ପୂର୍ବରେ ମାଆ ପେଟରେ ଆଖି ବୁଜି ଦେଇଥିଲା ଶିଶୁ ।

ଅସହ୍ୟ ଗର୍ଭଯନ୍ତ୍ରଣାରେ ଡାକ୍ତରଖାନାରେ ପଡ଼ି ଛଟପଟ ହେଉଥିଲେ ମହିଳା । ଚିକିତ୍ସା ତ ଦୂରର କଥା, ତାଙ୍କୁ ଛୁଇଁନଥିଲେ ଡାକ୍ତର କିମ୍ବା ନର୍ସ । କାରଣ ହେଉଛି ମହିଳା ଜଣକ ଥିଲେ ଏଚଆଇଭି ସଂକ୍ରମିତ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲରୁ । ଠିକ୍ ସମୟରେ ମହିଳାଙ୍କର ଚିକିତ୍ସା ହୋଇନପାରିବାରୁ ମୃତ୍ୟୁବରଣ କରିଥିଲା ଗର୍ଭସ୍ଥ ଶିଶୁ ।

ଶିଶୁର ମୃତ୍ୟୁ ହେବା ପରେ ବି ୨୪ ଘଂଟାରୁ ଅଧିକ ସମୟ ବିତି ଯାଇଥିଲା, ହେଲେ କୌଣସି ପଦକ୍ଷେପ ନେଇନଥିଲେ ଡାକ୍ତରଖାନା କର୍ତୃପକ୍ଷ । ତେବେ ଗଣମାଧ୍ୟମ ପ୍ରତିନିଧି ଓ ଏଚଆଇଭି ପାଇଁ କାମ କରୁଥିବା ବିଭିନ୍ନ ସଂଗଠନ, ଡାକ୍ତରଖାନାରେ ପହଁଚିବା ପରେ କର୍ତୃପକ୍ଷଙ୍କ ନିଦ ଭାଙ୍ଗିଥିଲା ଓ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଓଟିରେ ଭର୍ତି କରିଥିଲେ । ସାରାଦେଶରେ ଏଡ୍ସକୁ ନେଇ ସଚେତନ କରାଯାଉଛି । ହେଲେ ମେଡିକାଲ କଲେଜର ଡାକ୍ତର ଓ ନର୍ସଙ୍କ ଏଭଳି ଆଚରଣ, ଅନେକ ପ୍ରଶ୍ନ ଛିଡ଼ାକରିଛି ।