ଅଯୋଧ୍ୟା ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା : ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

94

କନକ ବ୍ୟୁରୋ :  ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ‌ଯୋଜନା କରିଛନ୍ତି । ପଡ଼ୋଶୀ ନେପାଳ ଦେଇ ଆତଙ୍କବାଦୀମାନେ ଭାରତ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଖବର ମିଳିଛି । ଗୁଇନ୍ଦା ରିପୋର୍ଟ ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରିଛନ୍ତି । ସହରର ସମସ୍ତ ଗୁରୁ୍ତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସହରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ସମଗ୍ର ସହର ଓ ଆଖପାଖ ଅଂଚଳରେ ପୁଲିସ ପା‌ଟ୍ରୋଲିଂ ବଢ଼ାଯାଇଛି । ଅଯୋଧ୍ୟାକୁ ଚଳାଚଳ କରୁଥିବା ଟ୍ରେନ୍‌ ଏବଂ ବସ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି ଏବଂ ହୋଟେଲ୍‌ , ଲଜ୍‌ ଏବଂ ଗେଷ୍ଟ୍‌ ହାଉସ୍‌ଗୁଡ଼ିକରେ ମଧ୍ୟ ଯାଞ୍ଚ ଜାରି ରହିଛି । ଅନ୍ୟପକ୍ଷେ ଅଯୋଧ୍ୟାରେ ୨୦୦୫ ଆତଙ୍କବାଦୀ ଆକ୍ରମଣର ରାୟ ଆଗାମୀ ୧୮ ତାରିଖରେ ଆସିବାକୁ ଥିବାବେଳେ ଏନେଇ ମଧ୍ୟ ଆଗୁଆ ସତର୍କତା ପଦକ୍ଷେପ ନିଆଯାଇଛି ।

ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟାରେ ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌, ସ୍ବତନ୍ତ୍ର ପୁଲିସ, ଅର୍ଦ୍ଧସାମରିକ ବାହିନୀ, ଆରଏଏଫ୍‌, ଏବଂ ଡ୍ରୋନ୍‌ କ୍ୟାମେରା ମୁତୟନ କରିଛନ୍ତି । ଉଲ୍ଲେଖଯୋଗ୍ୟ ୨୦୦୫, ଜୁନ୍‌ ୫ ତାରିଖରେ ଅଯୋଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ କରାଯାଇଥିଲା । ସୁରକ୍ଷାବାହିନୀ ଗୁଳିରେ ୫ ଆତଙ୍କବାଦୀ ନିପାତ ହୋଇଥିଲେ ।