ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର : ସାପ କାମୁଡା ଲୋକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ପରିସରରେ ଥିବା ପୋଖରୀରେ ବସାଇ ଢାଳିଲେ ୧୦୮ ଗରା ପାଣି

579

କନକ ବ୍ୟୁରୋ : ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ସାପ କାମୁଡିଥିବା ଲୋକକୁ ଡାକ୍ତରଖାନା ନେବା ବଦଳରେ ନିଆଯାଇଛି ଶିବ ମନ୍ଦିରକୁ । ଆଉ ମନ୍ଦିର ପରିସରରେ ଥିବା ପୋଖରୀରେ ବସାଇ ଢଳା ଯାଉଛି ପାଣି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କି ଅଂଚଳରେ । ବାଙ୍କି ବ୍ଲକର ଗୋପାଳପୁର ଗାଁରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ ସାପ କାମୁଡାର ଶିକାର ହୋଇଥିଲେ । ଏହା ଜାଣିବା ପରେ ପରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବଦଳରେ ଗାଁ ଶିବ ମନ୍ଦିରକୁ ଟେକି ନେଇଥିଲେ ।

ପୋଖରୀ ପାହାଚରେ ବସାଇ ତାଙ୍କ ମୁଣ୍ଡରେ ୧୦୮ ଗରା ପାଣି ଢାଳିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ଏପରି କଲେ ସାପ କାମୁଡା ଲୋକ ଭଲ ହୋଇଯାଇଥାଏ । ଶେଷ ଖବର ଅନୁସାରେ ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏବେ ଭଲ ଅଛନ୍ତି । ତେବେ ବିଜ୍ଞାନ ଯୁଗରେ ସାପ କାମୁଡାର ଚିକିତ୍ସା ନକରାଇ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରିବାକୁ ଅନେକ ନାପସନ୍ଦ କରିଛନ୍ତି ।