ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ । ୩ ଜିଲ୍ଲାକୁ ଅଧିକ ବିପଦ ଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା । ଉତ୍ତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ

709

କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ବାଲେଶ୍ୱର ଓ ମୟୁରଭଂଜରେ ଆସନ୍ତାକାଲି ସକାଳେ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ବେଶି ପ୍ରଭାବ ପଡିବ । ଆଜି ସନ୍ଧ୍ୟାରୁ କାଲି ଅପରାହ୍ନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ଦକ୍ଷିଣ ଓଡିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଉପକୂଳବତୀ ଲୋକଙ୍କୁ ସ୍ଥାନାନ୍ତର କରିବା ଏକ ବଡ ଚ୍ୟାଲେଂଜ । ସମୁଦ୍ର କୂଳବତୀ ଅଂଚଳରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ।

ପ୍ରଭାବିତ ୪ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରୟା ଜାରି ରହିଛି । ଗଜପତି, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ,ଯାଜପୁର ଓ ବାଲେଶ୍ୱରରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ସମୟରେ ବାହାରକୁ ନବାହାରି ଘରେ ରହିବା ପାଇଁ ସତର୍କ କରାଇଛନ୍ତି । ଏହା ସହ ଘରେ ଶୁଖିଲା ଖାଦ୍ୟ ରଖିବା ପାଇଁ କହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଛି । ଜିଲ୍ଲାପାଳ ସମସ୍ତ ଅଂଚଳ ବୁଲି ସ୍ଥିତି ପରଖୁଛନ୍ତି । ୧୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି । ପରିସ୍ଥିତି ଦେଖି ସତର୍କ କରାଯିବ ସାଇରନ ବାଜିବ ।

ସେପଟେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା । ଏହା ସମୁଦ୍ର ମଧ୍ୟରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟୋର୍ମର ରୂପ ନେଇ ସାରିଛି । ପାରାଦୀପଠାରୁ ୪ ଶହ ୭୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ରହିଛି ବାତ୍ୟା । ଘଂଟା ପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ବାତ୍ୟା କେନ୍ଦ୍ର ଓଡିଶାର ପାରାଦୀପର ଦକ୍ଷିଣ ଦିଗରେ ପ୍ରାୟ ୪ ଶହ ୭୦ କିଲୋମିଟର ଏବଂ ପଶ୍ଚିମ ବଙ୍ଗ ଦିଘାର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୬ ଶହ ୩୦ କିଲୋମିଟର ଦୂରରେ ରହିଛି । ଏହି ବାତ୍ୟା ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘାରୁ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ଭୁଖଣ୍ଡକୁ ଛୁଇଁବ ବୋଲି ଆକଳନ କରାଯାଇଛି ।

ଏହାର ପ୍ରଭାବ ଓଡିଶା ଉପକୂଳ, ପଶ୍ଚିମ ବଙ୍ଗ ଓ ବାଂଲାଦେଶରେ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ବାତ୍ୟା ଅମ୍ଫାନ ଯୋଗୁଁ ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତର ୨୪ ପ୍ରଗଣା, ପୂର୍ବ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଓଡିଶାରେ ପଶ୍ଚିମବଙ୍ଗ ତୁଳନାରେ କମ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ଆଇଏମଡି ।