ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା : ୨୬ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା,୧୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

6,526

କନକ ବ୍ୟୁରୋ : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ତାମିଲନାଡ଼ୁ ଉପକୂଳ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୩ ତାରିଖରୁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଏହି ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ନବରଙ୍ଗପୁର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଥିବା ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଗଞ୍ଜାମ, ପୁରୀ, କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୪ ଓ ୨୫ ତାରିଖରେ ମଧ୍ୟ ରାଜ୍ୟର ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।