କଂଗ୍ରେସରେ ଯୋଗ ଦେଇପାରିନ୍ତି ହାର୍ଦ୍ଦିକ ପଟେଲ୍ ! ଜାଣନ୍ତୁ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ପଟିଦାର ନେତା ?

299

କନକ ବ୍ୟୁରୋ : ଗୁଜରାଟ ରାଜନୀତିରେ ପ୍ରବେଶ କରିବେ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ । ମୋଦି ସରକାରଙ୍କ ଗୃହରାଜ୍ୟରେ ବିଜେପିକୁ ମାତ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଗୁଜରାଟର ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ୍ ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି । ଗୁଜରାଟ ଜାମନଗରର ଲୋକସଭା କ୍ଷେତ୍ରରୁ ହାର୍ଦ୍ଦିକ ପଟେଲ୍ ସାଧାରଣ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ ପଟିଦାର ସମ୍ପ୍ରଦାରୟ ପାଇଁ ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ୧୨ ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ । ତେବେ ବର୍ତ୍ତମାନ ଜାମନଗରରୁ ଭାରତୀୟ ଜନତା ପାର୍ଟର ନେତା ପୁନମବେନ୍ ସାଂସଦ ଅଛନ୍ତି । ଜୁଜରାଟରେ ମୋଟ ଲୋକସଭା ସିଟ୍ ସଂଖ୍ୟା ୨୬ । ସମସ୍ତ ସିଟରେ ସିଟରେ ବିଜେପିର ଦବଦବା ରହିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟରେ କଂଗ୍ରେସ ଅଧିକରୁ ଅଧିକ ସିଟ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଗୁଜରାଟରେ କଂଗ୍ରେସ ପାଇଁ ପଟିଦାରର ସମ୍ପ୍ରଦାୟର ସମର୍ଥନ ଜରୁରୀ । ହାର୍ଦ୍ଦିକ ଅହମଦାବାଦ କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ସମୟରେ ଦଳରେ ସାମିଲ ହେବେ । ଏବେ କଂଗ୍ରେସ ଟାର୍ଗେଟରେ ରହିଛି ମୋଦିଙ୍କ ଗୃହ ରାଜ୍ୟ । ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ସତ୍ତାରୂଢ଼ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିଲା ।