କନକ ବ୍ୟୁରୋ : ନଭେମ୍ବର ୧୦ ତାରିଖରେ ଜିଏସଟି କାଉନସିଲ୍ ବୈଠକରେ ପାଖାପାଖି ୨୦୦ ସାମଗ୍ରୀ ଉପରୁ କର କର ହ୍ରାସ କରାଯାଇଛି । କର ହ୍ରାସ ହୋଇଥିବା ସାମଗ୍ରୀ ଗୁଡ଼ିକର ଦର ମଧ୍ୟ ହ୍ରାସ ପାଇଛି । ଦର ହ୍ରାସ ପାଇଥିବା ପ୍ରାୟ ୨୦୦ ସାମଗ୍ରୀ ଉପରୁ ଆସନ୍ତା ବୁଧବାର ସୁଦ୍ଧା ନୂତନ ପ୍ରାଇସ୍ ଟ୍ୟାଗ୍ ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଲାସ ପାସଓ୍ଵାନ ସୋମବାର କହିଛନ୍ତି ।
ଯେଉଁ ନିର୍ମାତାମାନେ ଦିଆଯାଇଥିବା ସମୟସୀମା ଭିତରେ ଦର ପରିବର୍ତ୍ତନ କରି ସେମାନଙ୍କ ସାମଗ୍ରୀରେ ନୂତନ ପ୍ରାଇସ୍ ଟ୍ୟାଗ୍ ଲଗାଇବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦର ହ୍ରାସ ପାଇଥିବା ସାମଗ୍ରୀଗୁଡ଼ିକ ନୂତନ ଦର ଅନୁଯାୟୀ ବିକ୍ରି କରାଗଲେ ଗ୍ରାହକମାନେ ଲାଭବାନ ହେବେ । ଯଦି କୌଣସି ଗ୍ରାହକ ଦୋକାନୀଙ୍କଠାରୁ ଠକାମୀରେ ଶିକାର ହୁଅନ୍ତି ସେ ଚାହିଁଲେ ଜାତୀୟ ଖାଉଟି ହେଲ୍ପଲାଇନ୍ ଜରିଆରେ ଅଭିଯୋଗ କରିପାରିବେ ।
ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ମଧ୍ୟ ସେଭଳି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଲିଗାଲ୍ ମେଟ୍ରୋଲୋଜି ଡିପାର୍ଟମେଣ୍ଟକୁ ଲିଖିତ ଭାବେ ଜଣାଯାଇଛି ବୋଲି ପାସଓ୍ଵାନ କହିଛନ୍ତି । ପୂର୍ବରୁ ମଧ୍ୟ ଯେତେବେଳେ ଜୁଲାଇ ୧ ତାରିଖରେ ଜିଏସ୍ଟି ଲାଗୁ ହୋଇଥିଲା ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୂତନ ପ୍ରାଇସ୍ ଟ୍ୟାଗ୍ ଲଗାଇବା ପାଇଁ କୁହାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।