ରାଜ୍ୟକୁ ଜିଏସଟି ଚଡ଼କ ! ପ୍ରଥମ ଦୁଇ ମାସରେ ୫୨୫ କୋଟି ଟିକସ କମିଲା

71

କନକ ବ୍ୟୁରୋ : ବିମୁଦ୍ରାକରଣ ଓ ଜିଏସ୍‌ଟି ଲାଗୁ ହେବାପରେ ଦେଶର ଅର୍ଥନୀତି ଦୋହଲିଯାଇଛି, ପ୍ରଭାବିତ ହୋଇଛି ବିକାଶ ଧାରା । ଏହାକୁ ନେଇ ଜାତୀୟସ୍ତରରେ ଜୋର ଧରିଲାଣି ବିତର୍କ । ଅକଳରେ ପଡିଛନ୍ତି କେନ୍ଦ୍ର ସରକାର । ଠିକ୍‌ ଏମିତି ଏକ ସମୟରେ ଜିଏସ୍‌ଟି (ସାମଗ୍ରୀ ଓ ସେବା କର)ର ସାଂଘାତିକ ନକାରାତ୍ମକ ପ୍ରଭାବ ପଡ଼ିଛି ଓଡ଼ିଶା ରାଜସ୍ୱ ଉପରେ । ଓଡ଼ିଶା ଭଳି ଉପଭୋକ୍ତା ସର୍ବସ୍ୱ ରାଜ୍ୟରେ ଟିକସ ବଢିବା ବଦଳରେ କମିଛି, ହାରାହାରି ୨୧% । ପ୍ରଥମ ଦୁଇମାସର ଏଭଳି ଚିତ୍ର ଅର୍ଥନୀତିଜ୍ଞମାନଙ୍କୁ ବିଚଳିତ କଲାଣି । ଯଦିଓ ବ୍ୟବସ୍ଥା ଅନୁସାରେ, ଯାହା ରାଜସ୍ୱ କ୍ଷତି ଘଟିବ, ତାହା କେନ୍ଦ୍ର ସରକାର ଭରଣା କରିବେ ବୋଲି ସ୍ଥିର ହୋଇଛି, ଏଣୁ ସରକାର ହାତରେ ହାତ ବାନ୍ଧି ଆଶ୍ୱସ୍ତ ହୋଇଛନ୍ତି । ଆଶା କରୁଛନ୍ତି ହରାଇଥିବା ୫୨୫ କୋଟି ଟଙ୍କା ଓଡ଼ିଶାକୁ ଖୁବ୍‌ଶୀଘ୍ର ମିଳିଯିବ ।

 ହେଲେ ଏ ଅର୍ଥ କେବେ ଓ କିଭଳି ମିଳିବ, ସେ ନେଇ ନା ଅର୍ଥ ବିଭାଗର ଅଧିକାରୀଙ୍କ ପାଖରେ ଜବାବ ଅଛି ନା ସରକାର ଜାଣନ୍ତି । ସବୁଠାରୁ ବଡ଼ କଥା ହେଲା, କେନ୍ଦ୍ରୀୟ ବିକ୍ରିକର ଟିକସ କ୍ଷତି ଭରଣା କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ଧୋକା ଦେଇଛି । ହାରାହାରି ୩ହଜାରରୁ ଅଧିକ କୋଟି ଟଙ୍କା ଏ କ୍ଷେତ୍ରରେ ଓଡ଼ିଶା ହରାଇଲା । ଏଭଳିସ୍ଥଳେ ଜିଏସ୍‌ଟି କ୍ଷତିପୂରଣ ନେଇ ସରକାରଙ୍କ ବେଫିକର ମନୋଭାବ ରାଜ୍ୟ ଅର୍ଥନୀତିକୁ ଯେ କୌଣସି ମୁହୂର୍ତରେ ବିପର୍ୟ୍ୟୟ ମୁହଁକୁ ଠେଲି ଦେଇପାରେ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ବହୁ ବାଦ ବିବାଦ ପରେ ଜୁଲାଇ ପହିଲାରୁ ଦେଶରେ ଜିଏସ୍‌ଟି ଲାଗୁ ହୋଇଛି । ଓଡ଼ିଶାgst ହେଉଛି ଉପଭୋକ୍ତା ବହୁଳ ରାଜ୍ୟ । ଏଣୁ ସ୍ୱାଭାବିକ ଭାବେ ଓଡ଼ିଶାରେ ଜିଏସ୍‌ଟିର ପ୍ରଭାବ ସେତେଟା ଅନୁଭବ ହୁଏ ନୁହେଁ । ମାତ୍ର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ରାଜ୍ୟର ଟିକସ ଅଭିବୃଦ୍ଧି ୧୪% ଥିଲା । ହିସାବ କରି ଦେଖାଗଲା ଯେ ଉଭୟ ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ସରକାର ଟିକସ ବାବଦରେ ୨୩୯୩ କୋଟି ଟଙ୍କା ପାଇଥାନ୍ତେ । ମାତ୍ର ମିଳିଛି ୧୮୬୮ କୋଟି ଟଙ୍କା । ଅର୍ଥାତ୍‌ ୫୨୫ କୋଟି ଟଙ୍କା ସରକାର ସିଧାସଳଖ ହରାଇଛନ୍ତି । ଏହି ଅର୍ଥ କେନ୍ଦ୍ର ଭରଣା କରିବ ।

gstଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହେବାର କାରଣ ହେଉଛି, ପ୍ରାୟ ଅଧିକାଂଶ ଦ୍ରବ୍ୟ ଉପରୁ ରାଜ୍ୟ ସରକାର ଏକକାଳୀନ ଦୁଇଟି ଟିକସ ପାଉଥିଲେ । ଅର୍ଥାତ୍‌ ପ୍ରତି ସାମଗ୍ରୀ ଉପରେ ଭାଟ୍‌ ଆଦାୟ ହେଉଥିଲା, ପ୍ରବେଶ କର ବି । ଏଣୁ ଆମ ରାଜ୍ୟର ଟିକସ ରାଜସ୍ୱ ଅଧିକ ପ୍ରଭାବିତ ହେଉଛି । ଦ୍ୱିତୀୟତଃ ଜିଏସ୍‌ଟି ଲାଗୁ ପୂର୍ବରୁ ବଡ଼ ବଡ଼ ବ୍ୟବସାୟୀମାନେ ଯେଭଳି ଡି-ଷ୍ଟକିଂ କରିଦେଲେ ଏବଂ ତୃଣମୂଳସ୍ତର ଯାଏ ସମସ୍ତଙ୍କ ମନରେ ଜିଏସ୍‌ଟିକୁ ନେଇ ଏକ ଅଜଣା ଭୟ ରହିଲା, ଏଣୁ ସ୍ୱାଭାବିକ ଭାବେ ଏହାର ପ୍ରତିଫଳନ ଟିକସ କ୍ଷେତ୍ରରେ ଦେଖିବାକୁ ମିଳୁଛି । ପାଖାପାଖି ବର୍ଷେରୁ ଦେଢ ବର୍ଷ ଯାଏ ଏହାର ପ୍ରଭାବ ରହିପାରେ ।

ଅର୍ଥନୀତି ବିଶେଷଜ୍ଞମାନଙ୍କର ଯୁକ୍ତି ହେଉଛି, ଓଡ଼ିଶା ସରକାର ଯେତେ ସଫେଇ ଦେଲେ ବି କେଉଁଠି ନା କେଉଁଠି gst taxହିସାବ ଗୋଳମାଳ ଧରୁଛି । ମାନ୍ଦାବସ୍ଥାର ମଧ୍ୟ ଆଂଶିକ ପ୍ରଭାବ ଥିବା ଅସ୍ୱୀକାର କରିହେବ ନାହିଁ । ତେବେ ବର୍ତମାନ ଜାତୀୟ ଦୃଶ୍ୟପଟ୍ଟରେ ଏହା ଯେତେ ବଡ଼ ସମସ୍ୟା ନୁହେଁ, ତା ଠାରୁ ବଡ଼ ପ୍ରସଙ୍ଗ ହେଉଛି, ରାଜସ୍ୱ କ୍ଷତି ରାଶି କେନ୍ଦ୍ର ସରକାର କେବେ ଓ କିଭଳି ଢଙ୍ଗରେ ପ୍ରଦାନ କରୁଛନ୍ତି । ନିଷ୍ପତ୍ତି ଅନୁସାରେ, ଓଡ଼ିଶାର କ୍ଷତିରାଶି ଭରଣା ହେବ। ମାତ୍ର ଯଦି କେନ୍ଦ୍ରୀୟ ବିକ୍ରିକର ଭଳି ପରିସ୍ଥିତି ହୁଏ ତେବେ ରାଜ୍ୟର କ୍ଷତି ହିଁ କ୍ଷତି । ଏହାବ୍ୟତୀତ ରାଜ୍ୟ ସରକାରଙ୍କୁ ସବୁବେଳେ କେନ୍ଦ୍ରର ହାତଟେକାକୁ ଏବେ ଅପେକ୍ଷା କରି ରହିବାକୁ ପଡିବ । ଏହାଦ୍ୱାରା ରାଜ୍ୟର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

gstଉଲ୍ଲେଖଯୋଗ୍ୟ, ୨୦୦୭ରୁ ୨୦୧୨ ମସିହା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ବିକ୍ରିକର କ୍ଷତିପୂରଣ ବାବଦରେ ୨୭୫୫ କୋଟି ୩୬ଲକ୍ଷ ଟଙ୍କା ଦାବି ରଖିଥିଲେ। ଏହାର ପ୍ରତିବଦଳରେ କେନ୍ଦ୍ର ସରକାର ୨୨୦୧ କୋଟି ୪୦ଲକ୍ଷ ଟଙ୍କା ଦେଇଥିଲେ । ଏ ବାବଦରେ ହେଲେ ୨୦୧୨-୧୩ରୁ ୨୦୧୪-୧୫ ଯାଏ କେନ୍ଦ୍ର ନିକଟରେ ଓଡ଼ିଶା ୨୯୦୮ କୋଟି ୮୨ଲକ୍ଷ ଟଙ୍କା ଦାବି କରିଥିଲା । ମାତ୍ର ଜିଏସ୍‌ଟି ଲାଗୁ ହେବା ସହିତ ନିକଟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏ ବାବଦ ଅର୍ଥ ଆଉ ଓଡ଼ିଶାକୁ ମିଳିବ ନାହିଁ । ଫଳରେ ରାଜ୍ୟ ସରକାରଙ୍କୁ ୩୪୬୨ କୋଟି ୭୮ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ହରାଇବାକୁ ପଡିଛି । ଓଡ଼ିଶା ଭଳି ଏକ ରାଜ୍ୟ ପାଇଁ ଏତେ ବଡ଼ ଅର୍ଥରାଶି ହାତଛଡା ହେବା ସାଧାରଣ କଥା ନୁହେଁ ବୋଲି କୁହାଯାଉଛି ।