ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଆଗତ କରିବେ ରାଜ୍ୟ ସରକାର ! କୃଷି,ସ୍ବାସ୍ଥ୍ୟ ଉପରେ ରହିବ ଗୁରୁତ୍ବ
କନକ ବ୍ୟୁରା : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୪ ମାସିଆ କାମଚଳା ବଜେଟ୍ ଆଗତ କରିବେ । ଏଥିପାଇଁ ସରକାରୀସ୍ତରରେ ବଡ଼ ପ୍ରସ୍ତୁତି ଚାଲିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ବିଭାଗୀୟ ବ୍ୟୟ ବରାଦ ପାଇଁ ପ୍ରସ୍ତାବ ପଠାଇବାକୁ ଯୋଜନା ଓ ସଂଯୋଜନ ବିଭାଗ ସବୁ ବିଭାଗକୁ ଚିଠି ଲେଖିଛନ୍ତି । କେବଳ ସେତିକି ନୁହେଁ, ବିଧାନସଭାର ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତୁତି ପାଇଁ ବି ସବୁ ବିଭାଗର ସଫଳତା ନେଇ ତଥ୍ୟ ପଠାଇବାକୁ ମଧ୍ୟ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ । ତେବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସରକାର ପୂର୍ଣ୍ଣାଙ୍ଗ ବଜେଟ ନ ଆଣି ୪ ମାସ ପାଇଁ ଲେଖାନୁଦାନ ଆଗତ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ବର୍ଷ କାରଣରୁ ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର କୃଷି,ଜଳସେଚନ,ସାମାଜିକ ସୁରକ୍ଷା,ଶିକ୍ଷା ଓ ଦକ୍ଷତା ବୃଦ୍ଧି, ସ୍ବାସ୍ଥ୍ୟ,ଖାଦ୍ୟ ନିରାପତ୍ତା,ପାନୀୟ ଜଳ ଯୋଗାଣ ଓ ସମସ୍ତଙ୍କ ପାଇଁ ପକ୍କାଘର ଉପରେ ଗୁରୁତ୍ବ ଦେଇଥିଲେ । ଏଥରକ ଋଣ ଛାଡ଼ ନେଇ ସବୁ ମହଲରୁ ଆକ୍ରମଣ ସତ୍ତ୍ବେ ସରକାର ସେଥିରେ ପ୍ରଭାବିତ ନହୋଇ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗରିବ ଓ ଭୂମିହୀନ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା ହୋଇଛି ।
୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଇସ୍ତାହାରରେ ସବୁ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଯୋଜନାରେ ଅସମ୍ପୂର୍ଣ୍ଣ ଥିବା ବାସଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଆସନ୍ତା ବଜେଟରେ ବ୍ୟୟବରାଦ କରାଯିବା ସମ୍ଭାବନା ରହିଛି । ଏହାସହିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ମହିଳା ଓ ଯୁବ ସଶକ୍ତି କରଣ ପାଇଁ ବଜେଟରେ ଗୁରୁତ୍ବ ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଥର ବଜେଟର କଳେବର ୧୪% ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଅର୍ଥବିଭାଗ ଏହାର ରୂପରେଖ ପ୍ରସ୍ତୁତ କରୁଛନ୍ତି । ନିହାତି ଖର୍ଚ୍ଚ ନେଇ ଅର୍ଥ ବରାଦ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।