ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ଶୀଘ୍ର ମିଳିବ ସାହଯ୍ୟ ! ଆସନ୍ତା ଫେବୃୟାରୀରେ ଜାରି ହେବ ଟୋଲ ଫ୍ରି ନମ୍ବର

48

ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନାତା ବାର୍ତ୍ତା ମଧ୍ୟ କିଛି କାମ ଦେଉନି । ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ଯ୍ୟ କରୁଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଉଛନ୍ତି । ଓଡ଼ିଶା ସମେତ ସାରା ଦେଶରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ସଡ଼କ ସଚେତନତା ଏବଂ ରାସ୍ତାଗୁଡ଼ିକର ମାନ ବୃଦ୍ଧି ପାଇବା ସତ୍ୱେ ଏତିକି ସଂଖ୍ୟାରେ ଦୁର୍ଘଟଣା ଘଟିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ବେପରୱା ଭାବରେ ଓଭରଟେକ କରିବା ଆଦି ରାସ୍ତା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପରିବହନ ବିଭାଗ ଅନୁସାରେ ରାସ୍ତାଗୁଡ଼ିକର ଖରାପ ଡ଼ିଜାଇନ୍ ଓ ଇଞ୍ଜିନିୟରିଂ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି ।

ଭାରତ ସରକାର ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଦୃ୍ଷ୍ଟିରେ ରଖି ଜାତୀୟ ସ୍ତରରେ ଏକ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ନମ୍ବର ଜାରି ହେବା ପରେ ସଡ଼କ ଦୁର୍ଘଟଣା ସହ ଜଡ଼ିତ ସମସ୍ତ ଅଭିଯୋଗ କରାଯାଇପାରିବ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI  ) ହେଲ୍ପଲାଇନ୍ ୧୦୩୩କୁ ଫେବୃୟାରୀ ପ୍ରଥମ ସପ୍ତାହରେ ଲଂଚ କରିବା ପାଇଁ ପ୍ରସ୍ତୁତି ଚାଲିଛି । NHAI   ର ଚେୟାରମ୍ୟାନ୍ ଦୀପକ କୁମାର କହିଛନ୍ତି ଏହି ପ୍ରୋଜେକ୍ଟ ସହ ଜଡ଼ିତ ସମସ୍ତ  କାମ ଶେଷ ହୋଇସାରିଛି । ଏହି ନମ୍ବର ସାହଯ୍ୟରେ ପୀଡ଼ିତଙ୍କ ପାଖରେ ଶୀଘ୍ର ପହଞ୍ଚି ହେବ । ଆଉ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିବା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିପାରିବ । ଏନେଇ ସମସ୍ତ ରାଜ୍ୟ ସରକାରଙ୍କ ସହ ମଧ୍ୟ କଥାବାର୍ତ୍ତା ଚାଲିଛି । ଯାହାଦ୍ୱାରା ରାସ୍ତାରେ ହେଉଥିବା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଶୀଘ୍ର ସୁବିଧା ଉପଲବ୍ଧ କରାଯାଇପାରିବ । ସୂତ୍ର ଅନୁସାରେ NHAI ର ସହାୟକ ନ୍ୟାସନାଲ ହାଇୱେ ନେଟୱର୍କ ପାଇଁ ଜିଆରଏସ୍ ମ୍ୟାପିଂର କାମ ପୁରା କରି ସାରିଛନ୍ତି । ଏହି ନମ୍ବରକୁ  କଲ କଲେ ପୀଡ଼ିତଙ୍କୁ ତାଙ୍କ ଭାଷାରେ କଥାହେବା ପାଇଁ ସୁଯୋଗ ମିଳିବ । ଆଉ ଠିକ ସମୟରେ ସାହାଯ୍ୟ ପହଞ୍ଚିପାରିବ ।

ସୂଚନାଯୋଗ୍ୟ ୨୦୧୭ ତୁଳନାରେ ୨୦୧୮ରେ ରାଜ୍ୟରେ ୧୦ ପ୍ରତିଶତ ଅଧିକ ଦୁର୍ଘଟଣା ଘଟୁଛି ।  ୨୦୧୬ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନତି ମୃତ୍ୟୁସଂଖ୍ୟା ୩୩୦୬ ଥିଲା । ୨୦୧୭ରେ  ୩୪୯୫ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି । ରାଜ୍ୟରେ ଓଡ଼ିଶାର ସଡ଼କ ଦୁର୍ଘଟଣା ବିହାର, ଉତ୍ତରପ୍ରଦେଶ ସହିତ ସମାନ ହେବାକୁ ବସିଲାଣି । କଟକ, ଖୋର୍ଦ୍ଧା, ଯାଜପୁର, ବଲାଙ୍ଗିର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ୧୧ଟି ଜିଲ୍ଲାରେ ଅଧିକ ଦୁର୍ଘଟଣା ଘଟିଥିବା କୁହାଯାଇଛି । ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣା ଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଦୁର୍ଘଟଣା ମନୁଷ୍ୟକୃତ କାରଣରୁ ହୋଇଥାଏ । ନିଶା ସେବନ କରି ଗାଡ଼ି ଚାଳନା, ମୋବାଇଲି ଫୋନ ସହ ଡ୍ରାଇଭିଂ, ଦ୍ରୁତ ଗତି, ଟ୍ରାଫିକ ନିୟମର ଉଲ୍ଲଂଘନ, ଓଭର ଟେକିଂ ଆଦି କାରଣରୁ ଅଧିକ ସଂଖ୍ୟକ ଦୁର୍ଘଟଣା ହେଉଥିବାବେଳେ ତ୍ରୁଟିପୂର୍ଣ୍ଣ ସଡ଼କ ଡ଼ିଜାଇନିଂ, ଯାନ୍ତ୍ରିକ ତ୍ରୁଟି, ପ୍ରାକୃତିକ ବିପର୍ୟ୍ୟୟ ଓ ଅନ୍ୟାନ୍ୟ କାରଣରୁ ମଧ୍ୟ ଦୁର୍ଘଟଣା ଘଟିଥାଏ ।