ରାଜସ୍ଥାନ ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ! ସମସ୍ତ ସରକାରୀ କଲେଜର ଛାତ୍ରୀଙ୍କୁ ମାଗଣାରେ ବଂଟାଯିବ ସାନିଟାରୀ ନାପକିନ୍

219

କନକ ବ୍ୟୁରୋ : ଖିଲାଡ଼ି ତାରକା ଅକ୍ଷୟ କୁମାରଙ୍କ ସିନେମା ‘ପ୍ୟାଡ଼ମ୍ୟାନ୍’ ରିଲିଜ ପରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି । ପୂର୍ବପରି ଲୋକେ ମାସିକ ଧର୍ମ ବିଷୟରେ ଓ ଉକ୍ତ ସମୟରେ ମହିଳାମାନେ ବ୍ୟବହାର କରୁଥିବା ପ୍ୟାଡ଼ ବିଷୟରେ ଆଲୋଚନା କରିବା ପାଇଁ ଲଜ୍ଜାବୋଧ କରୁନାହାନ୍ତି । ପ୍ୟାଡ଼ମ୍ୟାନ ସିନେମା ଆସିବା ପରେ କିଛିଟା ପରିବର୍ତ୍ତନ ଆସିଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ଲୋକଙ୍କ ସହିତ ବିଭିନ୍ନ ରାଜ୍ୟର ସରକାର ମଧ୍ୟ ଏନେଇ ଯୋଜନା ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଆଉ ସେଥି ମଧ୍ୟରୁ ଗୋଟିଏ ରାଜ୍ୟ ହେଲା ରାଜସ୍ଥାନ ।

ଅର୍ଥାଭାବ ହେଉ କି ସଚେତନତା ଅଭାବରୁ ହେଉ ଆଜି ବି ଅନେକ ମହିଳା ଓ ଯୁବତୀ ମାସିକ ଧର୍ମ ସମୟରେ ସାନିଟାରୀ ନାପକିନ୍ ବ୍ୟବହାର କରନ୍ତି ନାହିଁ । ଏଥିପାଇଁ ରାଜସ୍ଥାନ ସରକାର ସାନିଟାରୀ ନାପକିନର ଭେଣ୍ଡିଂ ମେସିନ ଲଗାଇବେ । ରାଜସ୍ଥାନ ସରକାର ରାଜ୍ୟର ସମସ୍ତ ସରକାରୀ କଲେଜର ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଂଟିବା ପାଇଁ ଯୋଜନା କରୁଛନ୍ତି । ଯଦି ସରକାର ଏହି ଯୋଜନା ଶୀଘ୍ର ଲାଗୁ କରିଦିଅନ୍ତି, ତେବେ ଦେଶରେ ରାଜସ୍ଥାନ ଏ କାମ କରିବାରେ ପ୍ରଥମ ରାଜ୍ୟ ହେବ ।

ସୂଚନା ଅନୁସାରେ ଆଗାମୀ କିଛି ଦିନ ଭିତରେ ୧୮୯ କଲେଜରେ ସାନିଟାରୀ ନାପକିନର ଭେଣ୍ଡିଂ ମେସିନ ଲଗାଇବା ପାଇଁ ନିଷ୍ପତି ହୋଇଛି । କୁହାଯାଉଛି ଏହି ପଦକ୍ଷେପ ବସୁନ୍ଧରା ସରକାରଙ୍କ ପ୍ୟାଡ଼ ପାଇଁ ସର୍ବସାଧାରଣରେ ଭେଣ୍ଡିଂ ମେସିନ ଲଗାଇବାର ପ୍ରୟାସକୁ ଆଉ ପାଦେ ଆଗକୁ ନେବ । ସୂଚନା ଅନୁସାରେ ଉଚ୍ଚ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଏହି ଯୋଜନାକୁ ନେଇ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । ଏଥିପାଇଁ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ସୂଚନାଯୋଗ୍ୟ ରାଜ୍ୟର ସମସ୍ତ ସରକାରୀ କଲେଜର ୨.୮ ଲକ୍ଷ ଛାତ୍ରୀଙ୍କ ପାଇଁ ଏହି ଯୋଜନା ହେଉଛି ।