ସାମ୍ନାକୁ ଆସିଲା ସୁନା ସ୍ମଗଲିଂର ସତ : ବିଦେଶରେ ଶସ୍ତା, ଭାରତରେ ମହଙ୍ଗା ଥିବାରୁ ବଢୁଛି କଳା ସୁନା ବେପାର

28

କନକ ବ୍ୟୁରୋ : ନିୟମିତ ବ୍ୟବଧାନରେ ଆସୁଛି ସୁନା ଚୋରା ଚାଲାଣର ଖବର । ଭୁବନେଶ୍ୱର ବିମାନବନ୍ଦର ଅର୍ନ୍ତଜାତୀୟ ମାନ୍ୟତା ପାଇବା ପରେ ଏହି ଧାରା ବେଶ ବଢ଼ିଯାଇଛି । ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ବେଆଇନ ସୁନା ଜବତ ହେଉଛି । ଅଭାବନୀୟ ଉପାୟ ଜରିଆରେ ବିଦେଶରୁ ସୁନା ଆସୁଛି ।

ବିଦେଶରୁ ବେଆଇନ ଭାବରେ ଆସୁଥିବା ଏହି ସବୁ ସୁନା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ନିୟମିତ ବ୍ୟବଧାନରେ ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା । ଆଉ କିଛି ପ୍ରମୁଖ କାରଣ ଯୋଗୁଁ ଏହି ଧାରା ବଢ଼ିବାରେ ଲାଗିଛି ।

-୧୦% ଇମ୍ପୋର୍ଟ ଟ୍ୟାକ୍ସ ଲାଗିବାରୁ ବିଦେଶ ଅପେକ୍ଷା ଭାରତରେ ସୁନା ଦାମ ଅଧିକ

-ସୁନା ଉପରେ ଜିଏସଟି ସ୍ଲାବର ପରିମାଣ କମ୍

-ନୂଆ ଅନ୍ତଜାର୍ତୀୟ ବିମାନକୁ ସହଜରେ ଟାର୍ଗେଟ୍ କରାଯାଉଛି

ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଯୋଗାଯୋଗ ହେବା ଫଳରେ ଯାତାୟତ ଯେମିତି ସୁବିଧା ହୋଇଛି, ତା ସହ ସୁନା ସ୍ମଗଲିଂ ଭଳି ଅପରାଧର ସଂଭାବନା ବି ବଢ଼ି ଯାଇଛି । କୁହାଯାଉଛି-ନୂଆ ଅନ୍ତଜାର୍ତୀୟ ବିମାନକୁ ସହଜରେ ଟାର୍ଗେଟ୍ କରୁଛନ୍ତି ସ୍ମଗଲିଂ କରୁଥିବା ଲୋକ । ସେହିପରି ବିଦେଶ ଅପେକ୍ଷା ଦେଶରେ ସୁନା ଦାମ୍ ଅଧିକ ଥିବାରୁ ମୁନାଫା ଖୋର ବ୍ୟକ୍ତିମାନେ ଏଭଳି ସ୍ମଗଲିଂ କରିବାକୁ ପଛାଉ ନାହିଁନ୍ତି ।

ତେବେ ଏହାକୁ ଇମ୍ପୋର୍ଟ ଟ୍ୟାକ୍ସ, ଜିଏସଟି ଏବଂ ବିମୁଦ୍ରାକରଣର ପ୍ରଭାବ ବୋଲି ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା କହିଥିବା ବେଳେ ଏହାକୁ ସମାଲୋଚନା କରିଛି ବିଜେପି । ଗୁଇନ୍ଦା ବିଭାଗର ତତ୍ପରତା ଏବଂ ଯାଂଚ୍ ବ୍ୟବସ୍ଥାକୁ କଡ଼ାକଡି କରିବା ସହ ଟ୍ୟାକ୍ସ ବ୍ୟବସ୍ଥାରେ ସୁଧାର ହେଲେ ହୁଏତ, ବିଦେଶରୁ ଆସୁଥିବା ବେଆଇନ୍ ସୁନାରେ ଲାଗାମ୍ ଲାଗି ପାରିବ ।