ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ ! ୪୦୦ ଗ୍ରାମରୁ ଅଧିକ ସୁନା ଜବତ କଲା କଷ୍ଟମ ବିଭାଗ

44

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରା ପଡିଲା ସୁନା । ୪୦୦ ଗ୍ରାମରୁ ଅଧିକ ସୁନା ଜବତ କଲା କଷ୍ଟମ ବିଭାଗ । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ କରିଛି କଷ୍ଟମ ବିଭାଗ । ୨ ଜଣ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି । ଏୟାର ଇଣ୍ଡିଆ ବିମାନରେ ଏହି ୨ ଜଣ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିଲେ । ସେମାନଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି କଷ୍ଟମ ବିଭାଗ । ରୂପା ପ୍ରଲେପ ଦେଇ ଏହି ଦୁଇଜଣ ସୁନା ଆଣୁଥିଲେ ବୋଲି ଜଣାପଡିଛି । ମାତ୍ର ଦୁଇ ଦିନ ତଳେ ବିମାନବନ୍ଦରରୁ ଜବତ ହୋଇଥିଲା ପ୍ରାୟ ୩୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍ । ବାରମ୍ବାର ବିମାନବନ୍ଦରରୁ ସୁନା ଧରା ପଡୁଥିବାରୁ ବିଦେଶରୁ ଓଡିଶାକୁ ସୁନା ଚାଲାଣ ପଛରେ କୌଣସି ବଡ ର୍ୟାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଥିଲା ସୁନା ବିସ୍କୁଟ୍ । ପ୍ରାୟ ୩୫ଲକ୍ଷ ଟଙ୍କାର ୧ କେଜିରୁ ଅଧିକ ସୁନା ଜବତ ହୋଇଥିଲା । କ୍ୱାଲାଲାମପୁରରୁ ନେଇକି ଆସୁଥିବା ୨ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଥିଲା । ୨ କୁଖ୍ୟାତ ସୁନା ଚାଲାଣକାରୀ ମଳ ଦ୍ୱାର ପଟେ ସୁନା ବିସ୍କୁଟ ଲୁଚାଇ ଆଣିଥିଲେ । ୧ କେଜିରୁ ଅଧିକ ଓଜନର ସୁନା ବିସ୍କୁଟକୁ ନିଜ ମଳ ଦ୍ୱାରରେ ରଖିଥିଲେ ଏହି ୨ ଜଣ । ଯେପରି ଧରା ନପଡିବେ ସେଥିପାଇଁ ସେମାନେ ବ୍ୟାଙ୍କକରୁ ଏମାନେ ୧୧୪୩.୭୮ ଗ୍ରାମର ୧୫ଟି ସୁନା ବିସ୍କୁଟ କିଣି ଥିଲେ ଓ ପରେ ଏସବୁ ସୁନା ବିସ୍କୁଟ ଗୁଡିକୁ ଏକ ବ୍ଲାକଟେପରେ ଗୁଡା ଯାଇଥିଲା । ମଳ ଦ୍ୱାର ପଟେ ସୁନା ଗୁଡିକୁ ଭର୍ତି କରି ହଜାର ହଜାର କିଲୋମିଟର ଯାତ୍ରା କରିଥିଲେ ।

ସୂଚନାଯୋଗ୍ୟ ଚଳିତ ମାସ ପୂର୍ବରୁ ଏପରି ଦୁଇଟି ସ୍ଥାନରୁ ସୁନା ଜବତ ହୋଇଥିଲା । ଗତ ୧୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସୁନା ଓ ଟଙ୍କା ଜବତ କରିଥିଲା କଷ୍ଟମ୍ସ ବିଭାଗ । ମୋଟ ୨୨ଲକ୍ଷ ୨୩ ହଜାର ୩୫ଟଙ୍କାର ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଗତ କିଛି ମାସ ଭିତରେ ଭୁବନେଶ୍ୱରର ବିମାନ ବନ୍ଦରରୁ ଏକାଧିବାର ସ୍ମଗଲିଙ୍ଗ ହେଉଥିବା ସୁନା ଓ ସୁନା ବିସ୍କୁଟ ଜବତ ହୋଇଛି ।