କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ଦୁଷ୍କର୍ମ ବଢ଼ିବାର କାରଣ ବୋଲି କୁହାଯାଉଛି । ଅଧିକାଂଶ ଲୋକ ଝିଅମାନଙ୍କ କ୍ଷୁଦ୍ର ପୋଷାକକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି ମତ ରଖୁଛନ୍ତି । ସାଧାରଣ ଲୋକଙ୍କ କଥା ଭିନ୍ନ, ଗୁରୁଗ୍ରାମର ଜଣେ ପୁଲିସ୍‌ କର୍ମୀ ଏବେ ଏପରି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ଝିଅମାନଙ୍କ ପୋଷାକକୁ ଦୁଷ୍କର୍ମ ବୃଦ୍ଧିର କାରଣ ବୋଲି କହିବା ସହ କ୍ଷୁଦ୍ର ପୋଷାକ ପିନ୍ଧୁଥିବା ଝିଅମାନଙ୍କୁ ହତ୍ୟା କରି ଦିଆଯିବା ଉଚିତ ବୋଲି ମତ ରଖିଛନ୍ତି । ସେ କହିଛନ୍ତି କି ଛୋଟ ପୋଷାକ ପିନ୍ଧୁଥିବା ଝିଅମାନଙ୍କୁ ତାଙ୍କ ବାପାମାଆ ହତ୍ୟା କରି ଦେବା ଉଚିତ । ନଚେତ ବାହାର ଲୋକ ସେମାନଙ୍କୁ ହତ୍ୟା କରିଦିଅନ୍ତୁ।

Advertisment
ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ନାଓ’ ପକ୍ଷରୁ କରାଯାଇଥିବା ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ପୁଲିସ୍‌ ଜଣକ କହୁଥିବାର ନଜର ଆସିଛନ୍ତି, ‘କୌଣସି ବି ଦୁଷ୍କର୍ମ ବଳପୂର୍ବକ ନୁହେଁ, ସବୁ ଇଚ୍ଛା ମୁତାବକ ହେଉଛି । ପ୍ରଥମେ ବାପାମାଆମାନେ ସେମାନଙ୍କ ଝିଅକୁ କିପରି ପୋଷାକ ପିନ୍ଧିବା ଉଚିତ ଶିଖାଇବା ଦରକାର । କିପରି ପୋଷାକ ପିନ୍ଧି ବାହାରକୁ ଯିବା ଉଚିତ ବାପାମାଆମାନେ ନିଜ ଝିଅକୁ ସେ ବିଷୟରେ ଉଚିତ ଶିକ୍ଷା ଦେବା ଆବଶ୍ୟକ । ସେମାନେ ଅପରାଧକୁ ନିମନ୍ତ୍ରଣ ଦେଉଛନ୍ତି। ଅନେକ ସମୟରେ ପୁଲିସ୍‌କୁ ଦୋଷ ଦିଆଯାଉଛି । ମାତ୍ର ଗୋଟିଏ ହାତରେ କେବେ ତାଳି ବାଜେନି । ଆମେ ପୁଲିସ୍‌ ମାନେ ଥଣ୍ଡାରେ ଥରିଯାଉଛୁ । ମାତ୍ର ସେ ଝିଅମାନଙ୍କୁ ଥଣ୍ଡା ଲାଗୁନି ଯେ ସେମାନେ ଏତେ ଛୋଟ ଛୋଟ କପଡ଼ା ପିନ୍ଧି ବୁଲୁଛନ୍ତି ।