ବାଳିକା ଶିକ୍ଷା ବାଟବଣା ! ବିଦ୍ୟାଳୟ ବାହାରେ ଅଢ଼େଇ ଲକ୍ଷ ଛାତ୍ରୀ

123

କନକ ବ୍ୟୁରୋ : ବାଳିକାଙ୍କ ଶିକ୍ଷା ଲାଗି ହେଉଛି ମାଳ ମାଳ ଯୋଜନା । ଜଣେ ବି କେହି ଯେମିତି ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ନ ହେବେ, ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ଆଦିବାସୀ ଝିଅଙ୍କ ଶିକ୍ଷାର ମାନ ବୃଦ୍ଧି କରିବାକୁ ଏକାଧିକ ଯୋଜନା ହେଉଛି । ତଥାପି ତାହା କାମ ଦେଉନି । ଏଭଳି ଏକ ତଥ୍ୟ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପଦାକୁ ଆସିଛି । ନାରୀ ଶିକ୍ଷାରେ ଦୁର୍ବଳ ବରଗଡ଼, ଭଦ୍ରକ, କଟକ, ଗଜପତି, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ, ପୁରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ବାଳିକା ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ତାହା ଏବେ ଫଳପ୍ରଦ ହୋଇପାରିନି । ୨୦୧୧-୧୨ରୁ ଉକ୍ତ ୯ଟି ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସେଠାରେ ୨ ଲକ୍ଷ ୬୫ ହଜାର ଛାତ୍ରୀ ବିଦ୍ୟାଳୟ ବାହାରେ ରହିଛନ୍ତି । ଯେଉଁମାନଙ୍କ ବୟସ ୧୧ରୁ ୧୮ ବର୍ଷ ମଧ୍ୟରେ ।

୧୧ରୁ ୧୮ ବର୍ଷ ମଧ୍ୟରେ ୨,୬୫,୮୩୩ ଜଣ ବାଳିକା ବିଦ୍ୟାଳୟ ବାହାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ରୁ ୧୮ ବର୍ଷ ମଧ୍ୟରେ ୨ ଲକ୍ଷ ୮ ହଜାର ଜଣ ରହିଛନ୍ତି। କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାର ସଙ୍ଗୀନ ହୋଇପଡ଼ିଛି । କଳାହାଣ୍ଡି ଜିଲ୍ଲାରେ ୧୧ରୁ ୧୮ ବର୍ଷ ବୟସ ମଧ୍ୟରେ ୬୫,୪୫୧ ଜଣ ଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି । ଏଥିରେ ୧୧ରୁ ୧୪ ବର୍ଷ ମଧ୍ୟରେ ୨୧,୧୫୯ ଏବଂ ୧୪ରୁ ୧୮ ବର୍ଷ ମଧ୍ୟରେ ୪୪,୨୯୨ ଛାତ୍ରୀ ରହିଛନ୍ତି । କୋରାପୁଟ ଜିଲ୍ଲାରେ ବି ସମାନ ସ୍ଥିତି। ଏଠାରେ ୫୬,୫୬୭ ଜଣ ଛାତ୍ରୀ ସ୍କୁଲ ବାହାରେ ରହିଛନ୍ତି । ୧୧ରୁ ୧୪ ବର୍ଷ ମଧ୍ୟରେ ୨୬,୭୯୩ ଏବଂ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ୨୯,୭୭୪ ଜଣ ଛାତ୍ରୀ ରହିଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୧୧ରୁ ୧୪ ବର୍ଷ ମଧ୍ୟରେ ୫,୯୨୬ ଛାତ୍ରୀ ଏବେବି ବିଦ୍ୟାଳୟ ବାହାରେ ରହିଛନ୍ତି। ଯେଉଁମାନେ କି ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ହୋଇଛନ୍ତି। ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ୧୫,୩୧୨ ଜଣ ବାଳିକା ବିଦ୍ୟାଳୟ ବାହାରେ ରହିଥିବା ଜଣାପଡ଼ିଛି ।

କେବଳ ଆଦିବାସୀ କିମ୍ବା ଅଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ଚିତ୍ର୍ର ନାହିଁ । ଉପକୂଳ ଓଡ଼ିଶାରେ ବାଳିକା ଶିକ୍ଷା ବାଟବଣା ହେବାରେ ଲାଗିଛି। ଭଦ୍ରକ ଜିଲ୍ଲାରେ ୩୫,୨୨୮ ଜଣ ଛାତ୍ରୀ ବିଦ୍ୟାଳୟ ବାହାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ୩୪,୮୮୯ ଛାତ୍ରୀ ରହିଛନ୍ତି । ମାଟ୍ରିକ୍‌ ପରେ ଏଠାକାର ପିଲାମାନେ ଆଉ ଆଗକୁ ବଢ଼ୁନାହାନ୍ତି। ଅଧାରୁ ପାଠ ଛାଡ଼ୁଥିବା ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହି ଜିଲ୍ଲାରେ ୧୧ରୁ ୧୪ ବର୍ଷ ମଧ୍ୟରେ ମାତ୍ର ୩୩୯ ଜଣ ବିଦ୍ୟାଳୟ ଛାଡ଼ିଛନ୍ତି । କଟକ ଜିଲ୍ଲାରେ ୧୭,୪୬୮ ଜଣ ବିଦ୍ୟାଳୟ ବାହାରେ ରହିଥିବା ବେଳେ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ୧୭,୪୪୮ ଛାତ୍ରୀ ରହିଛନ୍ତି ।  ବରଗଡ଼ରେ ବି ୧୭,୩୯୮ ଛାତ୍ରୀ ସ୍କୁଲ ବାହାରେ । ଏଠାରେ ୧୬୮୬ ଜଣ ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ହୋଇଥିବା ବେଳେ ୧୫,୭୧୨ ଜଣ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ଅଛନ୍ତି । ମୟୂରଭଞ୍ଜରେ ବିଦ୍ୟାଳୟ ବାହାରେ ରହିଥିବା ୨୪,୨୯୮ ବାଳିକା ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ରହିଛନ୍ତି । ଗଜପତିରେ ୧୨,୬୮୭, ପୁରୀରେ ୧୫,୪୯୮ ବାଳିକା ବିଦ୍ୟାଳୟ ବାହାରେ ରହିଥିବା ସୂଚନା ମିଳିଛି ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସବୁ ପ୍ର୍ରକାର ଉଦ୍ୟମ ପରେ ବି ଏତେ ସଂଖ୍ୟକ ଛାତ୍ରୀ ବିଦ୍ୟାଳୟ ବାହାରେ ରହିବା ପ୍ରାଥମିକ ଏବଂ ଉଚ୍ଚଶିକ୍ଷାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ମାଟ୍ରିକ୍‌ ପରେ ବାଳିକାମାନେ ଅଧିକ ସଂଖ୍ୟାରେ ପାଠ ଛାଡ଼ୁଛନ୍ତି। ଯେଉଁଥିପାଇଁ ସମସ୍ୟା ଉପୁଜିଛି । ୧୧ରୁ ୧୪ ବର୍ଷ ମଧ୍ୟରେ ଯେଉଁ ବାଳିକା ବିଦ୍ୟାଳୟ ବାହାରେ ରହିଛନ୍ତି ସେମାନେ କିଭଳି ବିଦ୍ୟାଳୟ ଆସିବେ ସେଦିଗରେ ପଦକ୍ଷେପ ନେବାକୁ ଓପେପା, ରାମ୍‌ସା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।