ଭାରତୀୟ ଅର୍ଥନୀତିକୁ ଝଟ୍‌କା ! ୬.୬%କୁ ଖସିଗଲା ଅଭିବୃଦ୍ଧି ହାର

135

କନକ ବ୍ୟୁରୋ : ଜିଡିପି ଅଭିବୃଦ୍ଧି କମିଯାଇଛି । ୨୦୧୮ର ଅକ୍ଟୋବର-ଡିସେମ୍ବରରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୬% ଭଳି ନିମ୍ନ ସ୍ତରକୁ ଖସିଯାଇଛି । ଆଜି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ବିଗତ ୧୫ ମାସ ଭିତରେ ଏହା ଦେଶର ସର୍ବନିମ୍ନ ଅଭିବୃଦ୍ଧି । ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ର ପ୍ରଥମ ତ୍ରୟମାସ (ଏପ୍ରିଲ୍‌-ଜୁନ୍‌)ରେ ଅଭିବୃଦ୍ଧି ୮.୨% ଥିଲା ।

ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ତାହା ୭.୧%କୁ ଖସିଗଲା । ଏହାର ପର ତିନି ମାସରେ ଆଉ କିଛି ପାହାଚ ତଳକୁ ଖସି ଅଭିବୃଦ୍ଧି ହାର ୬.୬% ସ୍ତରରେ ପହଞ୍ଚିଯାଇଛି । ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ ବୋଲି କୁହାଯାଇଛି । କିଛି ଦିନ ତଳେ ୫୫ ଅର୍ଥନୀତିଜ୍ଞକୁ ନେଇ ରଏଟର୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ଜିଡିପି ଅଭିବୃଦ୍ଧି ୬.୯% ସ୍ତରକୁ ଖସିଯିବ ।

ଭାରତର ଅଭିବୃଦ୍ଧି ଏତେ ତଳକୁ ଖସିଆସିଥିଲେ ମଧ୍ୟ ଚୀନ୍‌ର ଅଭିବୃଦ୍ଧି ଠାରୁ ଏହା ଆଗରେ ରହିଛି ଏବଂ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିଛି । ଚୀନ୍‌ର ଅଭିବୃଦ୍ଧି ହାର ୬.୪% ରହିଛି ଯାହା ଭାରତର ଅଭିବୃଦ୍ଧି ୬.୬% ଠାରୁ କମ୍ । ଟଙ୍କା ହିସାବରେ ଭାରତର ଜିଡିପିର ମୋଟ୍‌ ପରିମାଣ ହେଉଛି ୩୫ ଲକ୍ଷ କୋଟି ଟଙ୍କା । ବର୍ଷକ ପୂର୍ବରୁ ତାହା ୩୨ ଲକ୍ଷ ୮୫ ହଜାର କୋଟି ଟଙ୍କା ଥିଲା । ସିଏସ୍‌ଓ ରିପୋର୍ଟରୁ ଜଣାପଡ଼ିଛି ଯେ, ମାନୁଫାକ୍‌ଚରିଂ ବା ବିଭିନ୍ନ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଛି । ଅଟୋମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ଭାରତ ଷଷ୍ଠ ସ୍ଥାନରେ ରହିଛି ।

ସ୍ମାର୍ଟଫୋନ୍‌ ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅଗ୍ରୀମ ଆକଳନ (ଆଡଭାନ୍ସ ଏଷ୍ଟିମେଟ୍‌) ଜାରି କରି ସିଏସ୍‌ଓ ପକ୍ଷରୁ କୁହାଯାଇଛି ଯେ,, କୃଷି କ୍ଷେତ୍ରର ଜିଭିଏ ଅଭିବୃଦ୍ଧି ୨.୭% ହେବ ଯାହା ବର୍ଷକ ପୂର୍ବରୁ ୫% ଭଳି ଉଚ୍ଚ ସ୍ତରରେ ଥିଲା। ଖଣି ଓ ଉତ୍ତୋଳନ କ୍ଷେତ୍ରର ଅଭିବୃଦ୍ଧି କମିବ । ତେବେ ମାନୁଫାକ୍‌ଚରିଂ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ହେବ । ମୁଣ୍ଡପିଛା ଆୟ ପରିମାଣ ୯୨,୭୧୮ ଟଙ୍କାକୁ ବୃଦ୍ଧି ପାଇବ ଯାହା ୨୦୧୭-୧୮ରେ ୮୭,୬୨୩ ଟଙ୍କା ଥିଲା । ମୁଣ୍ଡପିଛା ଆୟରେ ୫.୮%ର ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ଭାରତୀୟ ଅର୍ଥନୀତିକୁ ଡବଲ୍ ଝଟ୍‌କା ଲାଗିଛି । ଅଭିବୃଦ୍ଧି ହାର ଖସିଯାଇଥିବା ବେଳେ କାରଖାନା ଉତ୍ପାଦନ କ୍ଷେତ୍ରରୁ ମଧ୍ୟ ଖରାପ ଖବର ଆସିଛି । ଜାନୁଆରିରେ କାରଖାନାରୁ ହେଉଥିବା ଉତ୍ପାଦନ ଅଭିବୃଦ୍ଧି ୧.୮% ଭଳି ନିମ୍ନ ସ୍ତରକୁ ଖସିଯାଇଛି । ଅଶୋଧିତ ତୈଳ, ବିଶୋଧନାଗାର ଏବଂ ବିଦ୍ୟୁତ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି । କୋଇଲା ଓ ସିମେଣ୍ଟ୍ ଉତ୍ପାଦନ ମଧ୍ୟ କମିଛି । ତେବେ ପ୍ରାକୃତିକ ଗ୍ୟାସ୍‌, ସାର ଓ ଇସ୍ପାତ ଉତ୍ପାଦନରେ ବୃଦ୍ଧି ଦେଖାଦେଇଛି । କାରଖାନା ଉତ୍ପାଦନ ଅଭିବୃଦ୍ଧି ହାର ୧୯ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି ।