୪ ବର୍ଷ ପରେ ବିଜେଡି ସୁପ୍ରିମୋଙ୍କ ବିଶ୍ୱାସ ଜିତିଲେ ରଘୁ ମହାନ୍ତି ! ଦଳର ଉପସଭାପତି ପଦ ସହ ଢେଙ୍କାନାଳ ପର୍ଯ୍ୟବେକ୍ଷକର ଦାୟିତ୍ୱ ପାଇଲେ

57

କନକ ବ୍ୟୁରୋ : ନବୀନଙ୍କ କୋଠରିକୁ ଫେରିଲେ ରଘୁ ମହାନ୍ତି । ଚାରି ବର୍ଷ ପରେ ବିଜେଡି ସୁପ୍ରିମୋଙ୍କ ବିଶ୍ୱାସ ଜିତି ପାୱାର କରିଡରକୁ ଫେରିଛନ୍ତି ରଘୁ । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ବିଜେଡିର ଉପସଭାପତି ପଦ ସହ ଢ଼େଙ୍କାନାଳର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ । ବଧୂ ନିର୍ଯାତନା ମାମଲାରେ ଜେଲ ଯିବା ପରେ ମନ୍ତ୍ରୀ ପଦ ହରାଇଥିଲେ ରଘୁ । ଏପରିକି ତାଙ୍କୁ ଦଳରୁ ନିଲମ୍ବିତ ହେବାକୁ ପଡିଥିଲା । ଦାମଦୋର ରାଉତଙ୍କ ନିଲମ୍ବନ ପରେ ବିଜେଡିର ଉପସଭାପତି ପଦ ଖାଲି ପଡିଥିଲା । ସେହି ପଦବିରେ ଆଜି ରଘୁଙ୍କୁ ବସାଇଛନ୍ତିି ବିଜେଡି ମୁଖିଆ ।

ବହୁ ଚର୍ଚ୍ଚିତ ବର୍ଷାସୋନୀ ମାମଲାରେ ଦଳରୁ ବତାଡିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ନିଜର ପୁରୁଣା ଘରକୁ ପୁଣି ଥରେ ଫେରିଛନ୍ତି । ସେ ଶୁକ୍ରବାର ବିଜୁ ଜନତା ଦଳର ଉପ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ସହିତ ତାଙ୍କୁ ବିଜେଡି ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପର୍ୟ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ଉପ ସଭାପତି ଦାୟିତ୍ୱ ନେବା ପୂର୍ବରୁ ରଘୁନାଥ ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ ପୂର୍ବତନ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ବୋହୁ ବର୍ଷାସୋନୀ ଚୌଧୁରୀଙ୍କୁ ଯୌତୁକ ନିର୍ୟ୍ୟାତନ ଦେବା ଘଟଣାରେ ଛନ୍ଦି ହୋଇ ନିଜର ମନ୍ତ୍ରୀ ପଦ ହରାଇଥିଲେ। ବୋହୁଙ୍କ ଦ୍ୱାରା ଅଭିଯୋଗ ହେବା ପରେ ରଘୁ ମହାନ୍ତି ୨୦୧୩ରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିଲେ । ପରେ ସେ ୨୦୧୩ ମାର୍ଚ୍ଚ ୧୫ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବର୍ଷାସୋନୀ ୨୦୧୩ ମାର୍ଚ୍ଚ ୧୪ରେ ରଘୁନାଥ ମହାନ୍ତି, ତାଙ୍କ ପୁଅ ରାଜଶ୍ରୀ ମହାନ୍ତି, ଝିଅ ରୂପଶ୍ରୀ ଓ ଜ୍ୱାଇ ଶୁଭେନ୍ଦୁ ମଢୁଆଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।