୩ ରାଜ୍ୟରେ ବନ୍ୟା ସ୍ଥିତି : ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ୧୬ ଜଣ ମୃତ

279

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଏବେ ୩ ରାଜ୍ୟରେ ବନ୍ୟା ସ୍ଥିତି ସୃ‌ଷ୍ଟି ହୋଇଛି । ମହାରାଷ୍ଟ୍ର, ଗୁଜରାଟ ଏବଂ କର୍ଣ୍ଣାଟକରେ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବିହାର ଏବଂ ଆସାମରେ ବନ୍ୟା ସ୍ଥିତିରେ ସୁଦ୍ଧାର ଆସିଥିବାବେଳେ ମହାରାଷ୍ଟ୍ରରେ ବନ୍ୟା ଏବେ ଭୟଙ୍କର ରୂପ ନେଇଛି । ବନ୍ୟା ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପୁନେରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସତ୍‌ରାରେ ୭, ସଙ୍ଗ୍‌ଲିରେ ୨, କୋହ୍ଲାପୁରରେ ୨ ଏବଂ ସୋଲାପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ସମୁଦାୟ ୨୮,୩୯୭ ପରିବାରରୁ ୧,୩୨,୩୬୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସତ୍‌ରା, ପୁନେ ଏବଂ ସାଙ୍ଗ୍‌ଲିରେ ପ୍ରବଳ ବର୍ଷା ହୋଇଛି । ଏହି ସବୁ ଅଞ୍ଚଳଗୁଡ଼ିକରେ ସ୍କୁଲ୍‌ ‌କଲେଜ୍‌ ବନ୍ଦ ରହିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ‌ଦେବନ୍ଦ୍ରେ ଫଡ଼ନାବିସ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ପ୍ରବଣ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ସୋଲାପୁରରେ ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଗୁଜରାଟ ଏବଂ କର୍ଣ୍ଣାଟକରେ ମଧ୍ୟ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି ।