ଉଛୁଳୁଛି ମହାନଦୀ : ବାଙ୍କୀରେ ଘରେ ପଶିଲା ପାଣି, ସେପଟେ ରାଜୁଆ ନଦୀରେ ବନ୍ୟା ଆସି ଖୋର୍ଦ୍ଧାରେ ସ୍ଥିତି ସଙ୍ଗୀନ

354

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ଜିଲ୍ଲା ବାଙ୍କୀ ଅଂଚଳର ବିଭିନ୍ନ ଗାଁରେ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୧୫ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏପରିକି ତଳିଆ ଅଂଚଳରେ ଥିବା ବହୁ ଘର ଭିତରେ ପାଣି ପଶିଯାଇଛି । ବନ୍ୟା ପାଣି ମାଡୁଥିବାରୁ ଲୋକମାନେ ଭୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ତେବେ ପାଣି ପଶିଥିବା ବିଭିନ୍ନ ଗାଁରେ ପ୍ରଶାସନ ନପହଁଚି ଥିବାରୁ ଏହାକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ରାଜୁଆ ନଦୀରେ ବନ୍ୟା ଜଳ ଆସି ଖୋର୍ଦ୍ଧାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧାର ଓରବରସିଂ,ନରଣଗଡ ପଂଚାୟତର ୧୫ଟି ଗାଁରେ ବନ୍ୟା ପାଣି ପଶିଯାଇଛି । ରାତି ଅଧରେ ବନ୍ୟା ଜଳ ମାଡି ଆସି ଘର ଭିତରେ ପାଣି ପଶି ଯାଇଛି । ଘର ଭିତରେ ଲହଡି ଭାଙ୍ଗୁଛି ଅଂଟାଏ ବନ୍ୟା ପାଣି । କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଫୁଲୁଛି ଦୟାନଦୀ । ଦୟାନଦୀର ଜଳସ୍ତର ବଢ଼ିବା ଫଳରେ କଣାସ ବ୍ଲକର ବିଭିନ୍ନ ଗାଁରେ ପାଣି ପଶି ଯାଇଛି । ଗାଁ ଦାଣ୍ଡରେ ପ୍ରବାହିତ ହେଉଛି ଆଣଣ୍ଠୁଏ ଉଚ୍ଚର ବନ୍ୟା ପାଣି । ଦୋକନ୍ଦା, ତରବଡା, ବାଲିପାଟଣା, କକ୍ଷାରୁବସ୍ତ, ବଡାସ,ସବଳଙ୍ଗ ଓ ବୈଦନାଥପାଟଣା, ଜାଗୁଳାଇପଦର ଗାଁ ଜଳବନ୍ଦୀ ହୋଇ ରହିଛି ।

ସୂଚନାଯୋଗ୍ୟ ରାଜ୍ୟରେ ଆହୁରି ୩ ଦିନ ବର୍ଷା ଲାଗି ରହିହବ । ରାଜସ୍ତାନର ଅନୁପଗଡ ଅଲୱାର, ଉତ୍ତର ମଧ୍ୟପ୍ରଦେଶ ଅମ୍ବିକାପୁର, ଝାରସୁଗୁଡା ଚାନ୍ଦବାଲି ଦେଇ ଟ୍ରପଲାଇନ୍ ଉତର ପଶ୍ଚିମ ବଙ୍ଗୋପସାର ପର୍ଯ୍ୟନ୍ତ ଯାଇଛି । ଛତିଶଗଡ-ଓଡିଶା- ଝାଡଖଣ୍ଡ ସୀମାନ୍ତ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷ କରି ଉତର ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାରିପାଗ କେନ୍ଦ୍ର । ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା,ପୁରୀ, କଟକ, କେନ୍ଦ୍ରାପଡା,ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।