ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ହେଲା କାଶ୍ମୀର ! ଝେଲମ ଓ ଶାଖା ନଦୀରେ ବିପଦ ସଂକେତ ଛୁଇଁଲା ଜଳସ୍ତର

52

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୀଷଣ ବର୍ଷା ଯୋଗୁଁ ଝେଲମ, ସଂଗମ ଓ ଶାଖା ନଦୀଗୁଡିକର ଜଳସ୍ତର ବିପଦ ସଂକେତ ପାଖାପାଖି ବହୁଛି । ସ୍ଥିତିକୁ ଆଖିରେ ରଖି ଦକ୍ଷିଣ କାଶ୍ମୀର ଓ ମଧ୍ୟ କାଶ୍ମୀରରେ ବନ୍ୟା ଅଲର୍ଟ ଜାରି କରିଛି ପ୍ରଶାସନ । ଆଜି ଠାରୁ ସୋମବାର ଯାଏଁ କାଶ୍ମୀରର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ପୁଣି ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ଯବାନ । ହେଲିକପ୍ଟର ସହାୟତାରେ ବନ୍ୟା ଜଳରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ପୁନଛ ସେକ୍ଟରରୁ ଗତକାଲି ବାୟୁସେନା ୧୭ ଜଣ ନାଗରିକଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସେହିପରି ବିପଦ ସଙ୍କୁଳ ସ୍ଥାନଗୁଡିକରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରୁଛନ୍ତି ଇଣ୍ଡିଆନ ଆର୍ମି ।

ଲଗାଣ ବର୍ଷାକୁ ଦେଖି ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ଘାଟିରେ ହେଲ୍ପ ଲାଇନ ଜାରି କରାଯାଇଛି । ଏଥିସହ ୨୪ ଘଂଟିଆ କଂଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଯାଇଛି ।

ଜାମ୍ମୁକାଶ୍ମୀର ଗୋଟିଏ ପଟେ ବନ୍ୟା ଓ ଅନ୍ୟପଟେ ଭୀଷଣ ତୁଷାରପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ବାରମୁଲାରେ ଭୀଷଣ ତୁଷାରପାତ ପରିସ୍ଥିତି । ଲଗାତର ୨ଦିନ ଧରି ବରଫପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚାରିଆଡେ ବରଫର ଆସ୍ତରଣ ଜମିଛି । ରାସ୍ତାଘାଟ, ଘର ଦ୍ୱାର, ଗାଡି ମୋଟର ଉପରେ ବରଫ ଘୋଡାଇ ହୋଇ ରହିଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ଆକଳନ କରିଛି ଏହି ବରଫପାତ ଆହୁରି କିଛିଦିନ ଧରି ଲାଗିରହିବ ।