ବନ୍ୟା ଧୋଇଦେଲା ବର୍ଷକର ଖାଦ୍ୟ : ପାଣିରେ ରହି ପଚିଶଢ଼ି ଗଲା ଫସଲ, ଚାଷୀ ଆଖିରେ ଲୁହ

298

କନକ ବ୍ୟୁରୋ : ଚାଷ ଧୋଇ ନେଇଛି ବନ୍ୟା ଜଳ । ଆଜି ବି ପାଣିରେ ବୁଡି ରହିଛି ଫସଲ । ଦୟା ଓ ରାଜୁଆ ନଦିର ବନ୍ୟା ଜଳ ପୁରୀ ଜିଲ୍ଲା କଣାସ ବ୍ଲକରେ ହେକ୍ଟର ହେକ୍ଟର ଧାନ ଓ ପନିପରିବା ଫସଲ ନଷ୍ଟ କରିଛି । ଫସଲ ଉଜୁଡି ଯିବା ପରେ କରଜ କରି ଚାଷ କରିଥିବା ଚାଷୀ ଋଣ ପରିଶୋଧ ଚିନ୍ତାରେ ଘାଂଟି ହେଉଛନ୍ତି ।

ଚାଷ ଜମିରେ ଅଂଟାଏ ଅଂଟାଏ ପାଣି । ଆଉ ପାଣି ଘେରରେ ରହି ସଢି ଯାଇଛି ପରିବା ଫସଲ । ଚାଷୀ ହାତରେ ପଚି ଯାଇଥିବା ଧାନ ଗଛ । ଏପରି ଦୃଶ୍ୟ ପୁରୀ ଜିଲ୍ଲା କଣାସ ବ୍ଲକ ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି । କଣାସରେ ବନ୍ୟା ସ୍ଥିତିରେ ସିନା ସୁଧାର ଆସିଛି, କିନ୍ତୁ ଚାଷୀଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ । ଚାଷ ଜମିକୁ ଖିନଭିନ୍ କରିଦେଇଛି ଦୟା ଓ ରାଜୁଆ ନଦୀର ବନ୍ୟାଜଳ । ବ୍ଲକର ପାଣ୍ଡିଆକେରା, ବଡାସ, ବଳଭଦ୍ରପୁର, ଗଡବଡପୁର, ଦୋକନ୍ଦା, ଚୁପରିଙ୍ଗ, କାଦୁଆ, ବଡାଲ ଭଳି ପଂଚାୟତରେ ଧାନ ଓ ପନିପରିବା ଫସଲକୁ ନଷ୍ଟ କରିଦେଇଛି ବନ୍ୟାଜଳ ।

ପାଣି ଘେରରେ ରହି ଧାନ, ବାଇଗଣ. କଲରା, ପୋଟଳ, ଭେଣ୍ଡି, ଜହ୍ନି, କାକୁଡି ଓ ଲଙ୍କାଚାଷ ବିଶେଷା ଭାବେ କ୍ଷତିଗ୍ରସ୍ତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଆସିଥିବା ବନ୍ୟାରେ ଫସଲ ଉଜୁଡି ଯିବା ପରେ ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା । ଜମିରୁ ପାଣି ଛାଡିବା ପାଇଁ ଆହୁରି ୧୫ ଦିନ ଲାଗିବ ବୋଲି ଚାଷୀ କହୁଥିବା ବେଳେ ଚାଷ ନଷ୍ଟ ଅଭିଯୋଗକୁ ସ୍ୱୀକାର କରିଛି କୃଷି ବିଭାଗ । ବ୍ଲକର ୭ଟି ପଂଚାୟତରେ ୬୫୦ ହେକ୍ଟର ଜମିରେ ଫସଲ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତିର ଆକଳନ କରାଯାଇ ରିଲିଫ କୋର୍ଡ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ । ସେପଟେ କ୍ଷତି ପୂରଣ ସହ ପୁଣି ଥରେ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରଶାସନ ବିହନ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।