ଏଫଡି ସୁଧ ଉପରେ ଟିକସ ଅଧିକାରୀଙ୍କ ନଜର !

23

ମୋଟା ଅଙ୍କର ମିଆଦୀ ଜମା (ଫିକ୍ସଡ୍‌ ଡିପୋଜିଟ୍‌) ରଖି ସୁଧ ଆକାରରେ ବିପୁଳ ପରିମାଣର ଟଙ୍କା ଆୟ କରୁଥିବା ଲୋକମାନଙ୍କ ଉପରେ ଟିକସ ଅଧିକାରୀମାନେ ନଜର ପକାଇଛନ୍ତି । ଏଭଳି ବ୍ୟକ୍ତିମାନେ ସୁଧ ଆକାରରେ ଯେଉଁ ଟଙ୍କା ପାଉଛନ୍ତି ତାହାକୁ ବାର୍ଷିକ ଆୟ ରିଟର୍ଣ୍ଣ ଦାଖଲ କରିବା ବେଳେ ପ୍ରଦର୍ଶନ କରୁନାହାନ୍ତି । ଫଳରେ ଏହି ସୁଧ ଉପରେ ସରକାର ଯେଉଁ ଟିକସ ପାଇବା କଥା ତାହା ପାଉନାହାନ୍ତି । ଏଫ୍‌ଡି ଉପରେ ବ୍ୟାଙ୍କଗୁଡ଼ିକ ଟିଡିଏସ୍‌ (ଆୟ ଉତ୍ସରୁ ଟିକସ) କାଟ କରୁଛନ୍ତି । ଟିକସ ଅଧିକାରୀମାନେ ବ୍ୟାଙ୍କଗୁଡ଼ିକଠାରୁ ସେଭଳି ଲୋକମାନଙ୍କ ତଥ୍ୟ ସଂଗ୍ରହ କରିବେ ଯେଉଁମାନେ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁଧ ପାଉଛନ୍ତି । ଟିକସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ କେତେକ ବ୍ୟକ୍ତି ୩୦% ଟିକସ ପରିସୀମା ଭିତରେ ରହିଥିଲେ ମଧ୍ୟ ୧୦% ଟିକସ ଦେଉଛନ୍ତି ।

ସରକାରଙ୍କ ଟାର୍ଗେଟ୍‌ରେ ରହିଛନ୍ତି ବୃତ୍ତିଧାରୀ ବା ପ୍ରଫେସନାଲମାନେ । ସେମାନେ ନଗଦ ଅର୍ଥରେ ପେମେଣ୍ଟ୍‌ ପାଉଛନ୍ତି । ତେଣୁ ତାହାକୁ ବାର୍ଷିକ ଆୟରେ ପ୍ରଦର୍ଶନ କରୁନାହାନ୍ତି । ବିଳାସପୂର୍ଣ୍ଣ ଜୀବନଯାପନ କରିବା ସତ୍ତ୍ୱେ ସେମାନେ ଟିକସ ଦେଉନାହାନ୍ତି । ସେଭଳି ଲୋକମାନଙ୍କୁ ଟିକସ ଅଧିକାରୀମାନେ ଖୋଜି ବାହାର କରିବେ । ଏହି ଅଭିଯାନ ଜରିଆରେ ସରକାର ଟିକସଦାତାଙ୍କ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି । ବିମୁଦ୍ରାକରଣ ପରେ ନଗଦ ଟଙ୍କା ଜମା ଉପରେ ବଡ଼ ଧରଣର ଅସଙ୍ଗତି ଥିବା ୫,୫୬,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଥିଲା । ନଗଦ ଟଙ୍କା କେବଳ ବ୍ୟାଙ୍କରେ ଜମା କରାଯାଇନାହିଁ ବରଂ ଅନ୍ୟାନ୍ୟ ନିବେଶ ବିକଳ୍ପରେ ମଧ୍ୟ ତାହାକୁ ବ୍ୟବହାର କରାଯାଇଥିଲା ।

ଟିକସ ଅଧିକାରୀମାନେ ବ୍ୟାଙ୍କ, ମ୍ୟୁଚୁଆଲ୍‌ ଫଣ୍ଡ୍‌ ଏବଂ ବୀମା କଂପାନିଙ୍କଠାରୁ ଲୋକମାନଙ୍କ ନିବେଶ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । ଯେଉଁମାନଙ୍କ ଆୟ ଏବଂ ନିବେଶ ଭିତରେ ବଡ଼ ଧରଣର ଅନ୍ତର ଦେଖାଦେବ ସେମାନଙ୍କୁ ଟିକସ ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯିବ । କାହିଁକି ଏଭଳି ହୋଇଛି ବୋଲି ଉତ୍ତର ମଗାଯିବ। ବିମୁଦ୍ରାକରଣ ପରେ ମୋଟା ଅଙ୍କର ସମ୍ପତ୍ତି କାରବାର ହୋଇଥିବା ୬୦୦୦ ମାମଲା ଚିହ୍ନଟ ହୋଇଥିଲା । ଏହା ବ୍ୟତୀତ ବାହାରକୁ ଟଙ୍କା ପ୍ରେରଣ କରିବା ଭଳି ୬୬୦୦ଟି ମାମଲା ଚିହ୍ନଟ କରାଯାଇଥିଲା ଯାହାର ତଦନ୍ତ ଜାରି ରହିଛି । ଅପରେସନ୍‌ କ୍ଲିନ୍‌ ମନି ଅଭିଯାନ ବେଳେ ୧୭,୯୨,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନଙ୍କର ଟିକସ ପରିମାଣ ଏବଂ ଜମା ମଧ୍ୟରେ ବଡ଼ ଧରଣର ଅସଙ୍ଗତି ରହିଥିଲା ।