କନକ ବ୍ୟୁରୋ : କଟକ ବଡ଼ ମେଡିକାଲ୍ରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଘଟିଛି । ବିହାରର ଛାବ୍ରା ଜିଲ୍ଲାର ବାସିନ୍ଦା ସୋମପ୍ରକାଶ ମିଶ୍ର (୩୫)ଙ୍କର ଆଜି ଭୋର୍ ସମୟରେ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । ସୋମପ୍ରକାଶପରାଦ୍ୱୀପରେ କାମ କରୁଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ୭ ତାରିଖ ରାତିରେ ସନ୍ଦିଗ୍ଧ ଡେଙ୍ଗୁ ରୋଗୀ ଭାବେ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ରକ୍ତ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ତୁରନ୍ତ ସେଣ୍ଟ୍ରାଲ୍ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ସହିତ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁଯାୟୀ ବୁଧବାର ମେଡିକାଲ୍ ଆଇସିୟୁରେ ଆଉ ତିନି ଜଣ ଡେଙ୍ଗୁ ରୋଗୀ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ସେଣ୍ଟ୍ରାଲ୍ ଆଇସିୟୁରେ ଭଦ୍ରକର ଜଣେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବାଲେଶ୍ୱର ଓ ଜଗତସିଂହପୁରରୁ ଦୁଇ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାର ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସେହିପରି କଟକ କଲେଜଛକ ଅଞ୍ଚଳର ଅନ୍ୟ ଜଣେ ରୋଗୀ ଗୁରୁତର ଅବସ୍ଥାରେ ମେଡିସିନ୍ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଟ୍ରମା ବିଲ୍ଡିଂ ଉପର ଡେଙ୍ଗୁ ଓ୍ଵାର୍ଡରେ ୧୩ ଜଣ ଓ ଚକ୍ଷୁ ବିଭାଗ ଉପର ଡେଙ୍ଗୁ ଓ୍ଵାର୍ଡରେ ଦୁଇ ଜଣ ରୋଗୀଙ୍କର ଚିକିତ୍ସା ଚାଲିଥିବା ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି ।
ମାଇକ୍ରୋବାୟୋଲୋଜି ଓ୍ଵାର୍ଡରେ ୯୧ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲାବେଳେ ୧୮ ଜଣଙ୍କ ନମୁନା ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ କଟକର ନିଆଳି, ବାରଙ୍ଗ, ଫିରିଙ୍ଗିବଜାର, ଏସ୍ସିବି ମେଡିକାଲ୍ କ୍ୟାମ୍ପସ୍, ଖାନନଗର, ମଙ୍ଗଳାବାଗ୍ ଅଞ୍ଚଳରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିବା ବେଳେ ବାଲେଶ୍ୱରରୁ ୨, ଭଦ୍ରକରୁ ୩, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ସୂଚନା ଦିଆଯାଇଛି ।
ଗତକାଲି ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଉଠିଛନ୍ତି । ସୂଚନା ଅନୁସାରେ, ଏସସିବିର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇ ୨୪ ଘଂଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମାର୍ଚ୍ଚ ମାସରୁ ଏ ଯାଏଁ ୨୪୪
ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ଗତକାଲି ଏସସିବିରେ ସ୍ୱତନ୍ତ୍ର ବୈଠକ ବସିଥିଲା ପରିସ୍ଥିତିକୁ ଦେଖି ଆଜି ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଅଧିକ ବେଡ ଖୋଲାଯିବା ସମ୍ଭାବନା ରହିଛି ।