ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା ଘର : ସର୍ବସ୍ୱାନ୍ତ ହୋଇଗଲେ ୧୨ ପରିବାର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

188

କନକ ବ୍ୟୁରୋ : ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା ଘର । କଟକ ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତ ବିଲିତେନ୍ତୁଳିଆ ତୋଟାସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୨ ବଖରାରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି । ପିନ୍ଧା ଲୁଗାକୁ ଛାଡିଦେଲେ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି ।

ସୂଚନାଯୋଗ୍ୟ, ୪ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାଯାଇଛି। ଏଠିକାର ଲୋକେ ପ୍ରାୟତଃ ଚାଷୀ ହୋଇଥିବାରୁ ବିରି, ମୁଗ, ଧାନ ଯାହା ଅମଳ କରି ରଖିଥିଲେ ସବୁ ନିଆଁର ଛାରଖାର ହୋଇଯାଇଛି । ଘଟଣାସ୍ଥଳରେ ବାଙ୍କୀ ଓ କଳାପଥର ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହିତ ଅଗ୍ନିବିପର୍ଣ୍ଣମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ।

ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ପହଞ୍ଚି ସ୍ଥିତି ପରଖିବା ସହିତ ଯଥା ସମ୍ଭବ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ସହ ପ୍ରାଥମିକ ସହାୟତା ସ୍ୱରୂପ ପଲିଥିନ ଏବଂ ଚୁଡାଗୁଡ ଯୋଗାଇ ଦିଆଯାଇଛି ।