୫ ବର୍ଷ ପରେ ହଜିଲା ପୁଅର ଠିକଣା ମିଳିଲା : ପୁଅକୁ ପାଇ ଖୁସିରେ ଆତ୍ମହରା ବାପା, ଚେନ୍ନାଇରୁ ନିଖୋଜ ପୁଅ ନେଦରଲାଣ୍ଡରେ ପଢୁଛି ପାଠ

9,600

କନକ ବ୍ୟୁରୋ : ୫ ବର୍ଷ ଧରି ପୁଅ ମୃତ ଭାବି ଅଶା ଛାଡି ଦେଇ ଥିଲେ ପରିବାର ଲୋକେ । ତେବେ ସେଇ ପୁଅର ଏବେ ସନ୍ଧାନ ମିଳିଛି ସୁଦୁର ନେଦରଲ୍ୟାଣ୍ଡରେ । ଏପରି ଘଟଣା ସାମନାକୁ ଆସିଛି ମାଲାକନଗିରି ଜିଲ୍ଲାରୁ । ତାମିଲ ଶରଣାର୍ଥୀ ଭାବେ କେ ରବିଚନ୍ଦ୍ରନ ୧୯୯୦ ମସିହା ରେ ଆସି ଥିଲେ ମାଲକାନଗିରି । ୯୩ ମସିହାରେ ଚେନ୍ନାଇ ଠାରେ ବସତି ସ୍ଥାପନ କରି ସେଠାରେ ଶ୍ରମିକ ଭାବେ କାମ କରି ପୁଅକୁ ଏକ ମିଶନାରୀ ଆବାସିକ ସ୍କୁଲରେ ଭର୍ତି କରାଇଥିଲେ ବାପା ।

୨୦୧୪ ମସିହାରେ ବାପା କେ ରବିଚନ୍ଦ୍ରନ ଶ୍ରୀଲଙ୍କାକୁ ଯାଇଥିବା ବେଳେ ୨୦୧୫ ରେ ପୁଅକୁ ଆଉ ଫେରି ପାଇ ନଥିଲେ । ଅନେକ ଖୋଜା ଖୋଜି କରିବା ପରେ ପୁଅ ସନ୍-ସିଗିଦାନ ଜଳପଥ ଅଷ୍ଟ୍ରେଲିୟା କିମ୍ବା ମାଲେସିଆ ଚାଲି ଯାଇଥିବା ଖବର ପାଇ ଥିଲେ । ମୋଟର ଲଂଚ ଦୁର୍ଘଟଣାରେ ପୁଅ ପ୍ରାଣ ହରାଇଥିବା ନେଇ ଖବର ବି ପାଇଥିଲେ । ତେବେ ନିରାଶ ହୋଇ ଗତ ୫ବର୍ଷ ଧରି ପୁଅକୁ ନପାଇ ପୁଣି ମାଲକାନଗିରି ଚାଲି ଆସିଥିଲେ ବାପା । ତେବେ ପୁଅ ନେଦରଲାଣ୍ଡରେ ଥାଇ ଆଇନ ପାଠ ପଢୁଥିବା ନେଇ ଏବେ ବାପା କେ ରବିଚନ୍ଦ୍ରନଙ୍କୁ ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ଫୋନ୍ ଯୋଗେ ଭିଡିଓ କଲରେ ବାପାଙ୍କ ସହ କଥା ହୋଇଥିଲେ ପୁଅ ।

ଦୀର୍ଘ ବର୍ଷ ଧରି ପରସ୍ପର ଠାରୁ ଅଲଗା ହୋଇଯାଇଥିବା ବାପା , ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ । ବାପାଙ୍କୁ ପୁଅ ନିକଟରେ ପହଁଚାଇବା କିମ୍ବା ପୁଅକୁ ବାପା ନିକଟକୁ ଆଣିବା ଲାଗି ସମସ୍ତ ସୁବିଧା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ।