ଆଜି ଠାରୁ ମଣ୍ଡି ଗୁଡିକରେ ଚାଲିବ ଧାନ କିଣା : ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପଶ୍ଚିମ ଓଡିଶାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ଏଣିକି ବିନା ଟୋକନରେ ବି ଧାନ ବିକ୍ରି କରିପାରିବେ ଚାଷୀ

307

କନକ ବ୍ୟୁରୋ : ଆଜି ଠାରୁ ମଣ୍ଡି ଗୁଡିକରେ ଧାନ କିଣା ଚାଲିବ । ପଶ୍ଚିମ ଓଡିଶାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏଣିକି ବିନା ଟୋକନରେ ବି ଧାନ ବିକ୍ରି କରିପାରିବେ ଚାଷୀ । ହୀରାକୁଦ ନଦୀବନ୍ଧ ଦ୍ୱାରା ଜଳସେଚିତ ହେଉଥିବା ଅଂଚଳର ଚାଷୀ ଏଭଳି ସୁଯୋଗ ପାଇବେ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ସୂଚନା ଦେବା ପରେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ଚାଲିଥିବା ଆନ୍ଦୋଳନ ତୀବ୍ରରୂପ ନେଇଥିଲା ।

 ସମ୍ବଲପୁରରେ ରାଜରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଚାଷୀ । ସରକାରଙ୍କୁ ଦିଆଯାଇ ଥିବା ସମୟସୀମା ଶେଷ ହେବା ପରେ ଚକାଜାମ୍ କରିଦେଇଥିଲେ ଚାଷୀ ।  ସରକାରୀ ଦଳ ଉପମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କୁ ବୁଝାସୁଝା କରିଥିଲେ । କିଛି ସମୟ ଧରି ଚାଷୀଙ୍କ ସହ ଆଲୋଚନା ପରେ ନିଷ୍ପତି ହେଲା-ଟୋକନ୍ ନଥିଲେ ବି ଚାଷୀ ଧାନ ବିକ୍ରି କରିପାରିବେ । ନିର୍ଦ୍ଧାରିତ ପରିମାଣଠୁ ଅଧିକ ଧାନ ଥିଲେ ସରକାର ଗ୍ରହଣ କରିବେ । ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କ ପାଇଁ ତୁରନ୍ତ ଟୋକନ୍ ବ୍ୟବସ୍ଥା କରାଯିବ । ଆଜି ଠାରୁ ସ୍ୱାଭାବିକ ହେବ ଧାନ କିଣା ପ୍ରକ୍ରିୟା ।