ନାଟକର ନାଁ ଲୁଟ୍ : ଆୟକର ଫାଙ୍କିବାକୁ ଝାରସୁଗୁଡ଼ାରେ ମିଥ୍ୟା କାହାଣୀ ରଚିଥିଲେ ଲୁୁଟେରା, ୧୦ ଲକ୍ଷ ଟଙ୍କାର ଲୁଟ୍ କଥା କହି ରଚିଥିଲେ ଷଡଯନ୍ତ୍ର

201

କନକ ବ୍ୟୁରୋ : ମିଛ ଥିଲା ଝାରସୁଗୁଡାର ଲୁଟ୍ କାହାଣୀ । ସେଦିନ କେହି ଲୁଟେରା ଆସିନଥିଲେ । କିଛି ବି ଲୁଟ୍ ହୋଇନଥିଲା । କେବଳ ସତ ଲୁଚାଇବାକୁ ରଚାଯାଇଥିଲା ମିଛ କାହାଣୀ । ଖୋଲିଲା ଝାରସୁଗୁଡାରୁ ୧୦ ଲକ୍ଷ ଟଂକା ଲୁଟ୍ର ରହସ୍ୟ । ଟିକସ ଫାଙ୍କିବାକୁ ବ୍ୟବସାୟୀ ରଚିଥିଲେ ଲୁଟ୍ ନାଟକ । ଏହାକୁ ମାତ୍ର ୨୪ ଘଂଟା ଭିତରେ ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ ।

୨୪ ଘଂଟା ମଧ୍ୟରେ ଝାରସୁଗୁଡା ଶ୍ରେୟା ଟ୍ରେଡର୍ସ ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ତଦନ୍ତ ବେଳେ ପ୍ରଥମେ ସିସିଟିଭି ଫୁଟେଜ୍ ଯାଂଚ ଏବଂ ପରେ କର୍ମଚାରୀ ଓ ଗ୍ରାହକଙ୍କ ପ୍ରତିକ୍ରିୟାରେ ତାଳମେଳ ରହୁନଥିବାରୁ ପୋଲିସର ସନ୍ଦେହ ବଢିଯାଇଥିଲା । ଏହାପରେ ସାମ୍ନାକୁ ଆସିଯାଇଥିଲା ମିଛ ଲୁଟ୍ ପଛର ସତ କାହାଣୀ ।

ଗୁରୁବାର, ଅପରାହ୍ଣ ପ୍ରାୟ ୧ଟା ୩୦ । ଶ୍ରେୟା ଟ୍ରେଡର୍ସ ମାଲିକ ଶଙ୍କର କେଡିଆ ଅଭିଯୋଗ କରିଥିଲେ ଯେ, ୩ ଜଣ ଯୁବକ କଳା ପଲସରରେ ଆସିଥିଲେ । ଜଣେ ବାହାରେ ଥିବା ବେଳେ ଅନ୍ୟ ଦୁଇ ଜଣ ଗୋଦାମ ଭିତରକୁ ପଶି ବନ୍ଧୁକ ମୁନରେ ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟିନେଇଥିଲେ ।

ଆୟକର ଫାଙ୍କିବା ପାଇଁ କେମିତି ଲୁଟ୍ ନାଟକ ରଚାଯାଇଥିଲା ତାହା ପୋଲିସ ଆଗରେ ସ୍ୱୀକାର କରିସାରିଛନ୍ତି ନିଜେ ଅଭିଯୋଗକାରୀ । ଏବେ ଅପେକ୍ଷା ମିଛ ଅଭିଯୋଗକାରୀ ଶଙ୍କର କେଡିଆଙ୍କ ବିରୋଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ।