ମିଶନ୍ ଶକ୍ତି ମାମଲାରେ ମୋଦିଙ୍କୁ କ୍ଲିନ୍ ଚିଟ୍ ! ନିର୍ବାଚନ କମିସନ୍ କହିଲେ, ଉଲ୍ଲଂଘନ ହୋଇନି ଆଦର୍ଶ ଆଚରଣ ବିଧି

130

କନକ ବ୍ୟୁରୋ : ମିଶନ୍ ଶକ୍ତି ନେଇ ମୋଦିଙ୍କ ଦେଇଥିବା ଅଭିଭାଷଣରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇନି । ନିର୍ବାଚନ କମିସନ୍ ଏ ମାମଲରେ ମୋଦିଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଅଭିଭାଷଣରେ କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା ବୋଲି ବି ସ୍ପଷ୍ଟ କରିଛନ୍ତି । ସେ ନିଜ ଘୋଷଣାରେ ଭୋଟ ପାଇଁ ମଧ୍ୟ ଅପିଲ କରି ନାହାଁନ୍ତି ବୋଲି ନିର୍ବାଚନ କମିସନ କହିଛନ୍ତି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣରେ କହିଥିଲେ ୨୭ ମାର୍ଚ୍ଚ ସମସ୍ତ ଭାରତୀୟଙ୍କ ପାଇଁ ବେଶ୍ ଖାସ୍ । ଡିଆରଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍(ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚନା କରିଛି ବୋଲି କହିଥିଲେ । ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ବୋଲି କହିଥିଲେ ମୋଦି । ଆଉ ତା’ପରେ ମୋଦିଙ୍କ ଅଭିଭାଷଣକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ।

ମିଶନ ଶକ୍ତି ଘୋଷଣା ଜରିଆରେ ଆଚାର ସଂହିତା ଉଲ୍ଲଙ୍ଘନ କରିଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ନିର୍ବାଚନ କମିସନ୍ ଏହାର ତନଖି ଲାଗି ଏକ ଟିମ୍ ଗଠନ କରିଥିଲେ । ଦୂରଦର୍ଶନ ଏବଂ ଆକାଶବାଣୀଠାରୁ ଏହି ବିଷୟରେ ସୂଚନା ମଧ୍ୟ ହସ୍ତଗତ କରିଥିଲେ କମିସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା ।