ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ : ଫେସବୁକଲରେ ଦୂତି ଲେଖିଲେ ମାନସିକ ନିର୍ଯାତନା ଦେଇଛି ପପୁଙ୍କ କଥା, କମେଡି କିଙ୍ଗଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ଦୌଡ଼ରାଣୀ

948

କନକ ବ୍ୟୁରୋ : ବିବାଦ ଭିତରେ ଆହୁରି ଆହୁରି ଛନ୍ଦି ହୋଇପଡୁଛି କମେଡ଼ି କିଙ୍ଗଙ୍କ ସିନେମା ପୋଷ୍ଟର । ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ଫେସବୁକରେ ପୋଷ୍ଟ କରିଛନ୍ତି ଆଥଲେଟ ଦୂତି ଚାନ୍ଦ । ଫେସବୁକରେ ସେ ଲେଖିଛନ୍ତି କମେଡି କିଙ୍ଗ ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି । ସିନେମାର ପୋଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଦୂତି କହିଛନ୍ତି । ଏପରିକି ପପୁଙ୍କ ବିରୋଧରେ ଦୂତି ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ।

ମିଷ୍ଟର କହ୍ନେୟା ପୋଷ୍ଟରକୁ ଦୂତି ବିରୋଧ କରିବା ପରେ ପପୁ ପମପମ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପପୁ ଦୂତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଦୂତି ଆଗ ନିଜ ବ୍ୟକ୍ତିଗତ କଥାକୁ ସମ୍ଭାଳନ୍ତୁ ବୋଲି କହିଛନ୍ତି କମେଡି କିଙ୍ଗ । ପପୁଙ୍କ ଏହି କଥା ଦୂତିଙ୍କୁ ବହୁତ ବାଧିଥିବା ସେ କହିଛନ୍ତି ।

ସେପଟେ ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ । ଥାନାରେ ହାଜରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ । ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ପଚରାଉଚରା କରାଯିବ । ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି । କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି ।

ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାକୁ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରର ପପୁ ମହିଳାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ କନକ ନ୍ୟୁଜରେ ସଫେଇ ରଖିଥିଲେ କମେଡି କିଙ୍ଗ ପପୁ ପମପମ । ସେ କହିଥିଲେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଥିଲେ । ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଥିଲେ ପପୁ ।