ଦଶଭୂଜାଙ୍କ ଆବାହନ ପାଇଁ ଗାଁରୁ ସହର ସବୁଠି ପ୍ରସ୍ତୁତି ! ଆଜି ଶକ୍ତିପୀଠରେ ମା’ଙ୍କ ଷଷ୍ଠୀ, କାଲି ମଣ୍ଡପରେ ମାଙ୍କ ବିଲ୍ୱବରଣ ନୀତି

162

କନକ ବ୍ୟୁରୋ : ଧରାପୃଷ୍ଠକୁ ଆସିବେ ମା ଦଶଭୂଜା । ମା’ଙ୍କ ଆବାହନ ପାଇଁ ଗାଁରୁ ସହର ସବୁଠି ଜୋରଦାର ପ୍ରସ୍ତୁତି । ସୁଉଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହେଲାଣି ପୂଜା ମଂଡପ । ପୂଜାକୁ ଆକର୍ଷଣୀୟ କରିବା ପାଇଁ କଟକ ଖାନନଗର ପୂଜା କମିଟି କରିଛି ସୁନ୍ଦର ସାଜସଜା । ମଣ୍ଡପରେ ମା ଜଗଦାତ୍ରୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆସନ୍ତାକାଲି ମଣ୍ଡପରେ ଷଷ୍ଠୀ ପୂଜା କରାଯିବ ।

ଜମିଲାଣି ଦଶରା ବଜାର । ଶକ୍ତିପୀଠରେ ମାଙ୍କ ନବରାତ୍ରୀ ପୂଜା ଚାଲିଥିବା ବେଳେ ଆସନ୍ତାକାଲିଠୁ ପୂଜାମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଆଜି ପୀଠରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ କାଲି ମଣ୍ଡପରେ ଷଷ୍ଠୀ ପୂଜା କରାଯିବ । ମା’ ଦଶଭୂଜାଙ୍କର ବିଲ୍ୱବରଣ କରାଯାଇ ଚକ୍ଷୁଦାନ କରାଯିବା ପରେ ବିଧିମୁତାବକ ପୂଜାର୍ଚନା କରାଯିବ । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି । ମା’ଙ୍କ ସ୍ୱାଗତ ପାଇଁ ସଜେଇ ହେଲାଣି ସମ୍ବଲପୁର ସହର ।

ବିଭିନ୍ନ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହେଲାଣି କହିଲେ ଚଳେ । ସମ୍ବଲପୁର ଧନୁପାଲି ମଣ୍ଡପରେ ରାଣୀ ମହଲ ତିଆରି କରାଯାଇଥିବା ବେଳେ ମୂର୍ତ୍ତି କାରିଗର ମାନେ ମା’ଙ୍କ ମୂର୍ତ୍ତି ରେ ଶେଷ ସ୍ପର୍ଶ ଦେଉଛନ୍ତି । ସେପଟେ ଆଲୋକମାଳାରେ ସଜେଇ ହେଲାଣି ଷ୍ଟିଲ ସିଟି । ପ୍ରତିବର୍ଷ ଭଳି ଏ ବର୍ଷ ବି ରାଉରକେଲାରେ ସୁଉଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକମାଳରେ ଝଲସୁଛି । ପୂଜାକୁ ନେଇ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ କେଉଁଠି କାନାଡାର ପାର୍ଲାମେଂଟତ ଆଉ କେଉଁଠି ବୃନ୍ଦାବନ୍ଦର ପ୍ରେମ ମନ୍ଦିର ସଦୃଶ ତୋରଣ କରାଯାଇଛି ।

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଧୁମଧାମରେ ପାଳନ ହେଉଛି ପୂଜା । ବ୍ରହ୍ମପୁର ଉପକଣ୍ଠରେ ମା ଭୌରବୀଙ୍କ ପୀଠରେ ନବରାତ୍ରୀ ପୂଜା କରାଯାଉଛି । ରୀତିନିତି ଅନୁଯାୟୀ ମାଙ୍କ ପୀଠରେ ଚଣ୍ଡିପାଠ, ଶୋଡ଼ଷ ପୂଜା କରାଯାଉଥିବା ବେଳେ ପଡ଼େଶୀ ରାଜ୍ୟ ଆନ୍ଧ୍ରରୁ ଭକ୍ତମାନେ ଆସି ଏଠାରେ ପୂଜା କରିବା ସହ ଅଖଣ୍ଡଦୀପ ପ୍ରଜ୍ୱଳନ କରନ୍ତି । ପୂର୍ବରୁ ଏଠାରେ ଆମିଷ ଭୋଗ ଲାଗୁଥିଲା କିନ୍ତୁ ଏବେ ଏଠାରେ ଜଗନ୍ନାଥ ଓ ୧୦୮ ଦେବା ଦେବୀଙ୍କ ମନ୍ଦିର ହେବା ପରେ ଆମିଷ ଭୋଗ ବନ୍ଦ କରାଯାଇଛି । କେବଳ ଏତିକି ନୁହେଁ , ପୂର୍ବ ଭୈରବୀଙ୍କ ପାଖରେ ବଶୁ ବଳୀ ଦିଆଯାଉଥିବା ବେଳେ ଏବେ ଏହାକୁ ବନ୍ଦ କରାଯାଇ ପୁଷ୍ପାଣ୍ଡ ବଳୀ ଦିଆଯାଉଛି ।