ବର୍ଷା ଅଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମରୁଡି ପରିସ୍ଥିତି ! ଚାଷ ଜମି ଫାଟି ଆଁ, କରଜ ସୁଝିବା ଚିନ୍ତାରେ ଚାଷୀ

52

କନକ ବ୍ୟୁରୋ : ପ୍ରକୃତିର ବିଚିତ୍ର ଖେଳ । କୋଉଠି ବର୍ଷା ଯୋଗୁଁ ବନ୍ୟା ତ ଆଉ କୋଉଁଛି ବର୍ଷା ଅଭାବରୁ ଜମି ଫାଟି ଆଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଅଭାବରୁ ସୃଷ୍ଟି ହୋଇଛି ମରୁଡି ପରିସ୍ଥିତି । ଏବେ ବୌଦ୍ଧ, ବରଗଡ ଓ ବଲାଙ୍ଗୀରର ଚାଷୀ ମରୁଡି କବଳରେ କବଳିତ । ଏସବୁ ଜିଲ୍ଲାର ଧାନ ଜମି ଫାଟି ଆଁ କରିଛି । ଜିଲ୍ଲାର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ବର୍ଷା ଅଭାବରୁ ଚାଷୀ ଚାଷ କରିନପାରି ଜମି ପଡିଆ ପଡିଛି ତ ଆଉ କେଉଁଠି ଚାଷ ଜମି ଫାଟି ଆଁ କରିଛି ।

ଧାର କରଜ କରି ଚାଷ କାର୍ଯ୍ୟରେ ଲଗାଇଥିବା ଅର୍ଥ କେମିତି ସୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି । ରାଜନୈତିକ ଇଛା ଶକ୍ତିର ଅଭାବ ହେତୁ ଅନେକ ଅଂଚଳର ଚାଷ ଜମିଗୁଡିକୁ ଜଳ ସେଚିତ ହୋଇପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଚାରିଆଡ ଦେଖା ଦେଇଛି କରାଳ ମରୁଡିର ଛାୟା । ଏସବୁ ଜିଲ୍ଲାରେ ମରୁଡି ଘୋଷଣା କରିବା ପାଇଁ ଦାବି ହୋଇଛି । କେବଳ ବୌଦ୍ଧ, ବରଗଡ ଓ ବଲାଙ୍ଗିରରେ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଛି । ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ।