ରାସ୍ତାରେ ବହୁଛି ଏକ ଫୁଟ୍ ଉଚ୍ଚର ନର୍ଦ୍ଦମା ପାଣି : ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି,ବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁ ନାହାନ୍ତି ୱାର୍ଡ ଅଧିକାରୀ
କନକ ବ୍ୟୁରୋ : ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ରେ କର୍ପୋରେଟରମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେଣୁ ଲୋକଙ୍କ ସୁବିଧା/ଅସୁବିଧା ବୁଝିବା ପାଇଁ ବିଏମ୍ସି ପକ୍ଷରୁ ପ୍ରତି ୱାର୍ଡରେ ଖୋଲିଛି ୱାର୍ଡ କାର୍ଯ୍ୟାଳୟ। ହେଲେ ଏବେ ବିଭିନ୍ନ ୱାର୍ଡରେ ଲୋକେ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ସେମାନଙ୍କ ଦୁଃଖ ଶୁଣିବାକୁ କେହିନାହିଁ। ଲୋକମାନେ ଅସୁବିଧା ଓ ଅଭିଯୋଗ ନେଇ ୱାର୍ଡ କାର୍ଯ୍ୟାଳୟ ଅଧିକାରୀଙ୍କୁ ଯୋଗାଯୋଗ କରୁଛନ୍ତି । ମାତ୍ର ସମ୍ପୃକ୍ତ ଅଧିକାରୀ ଲୋକଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚନ୍ଦ୍ରଶେଖରପୁର ଥାନା ଆରଟିଓ ପ୍ରଶିକ୍ଷଣ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗତ ୧୫ ଦିନରୁ ଅଧିକ ହେବ ସ୍ବେରେଜ ପାଣି ଭାସିବା ଘଟଣା ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି। ଦୀର୍ଘଦିନ ହେବ ରାସ୍ତାରେ ନର୍ଦ୍ଦମା ପାଣି ଭାସୁଥିବା ବେଳେ ଏନେଇ କାହାର ନିଘା ନାହିଁ। ସ୍ଥାନୀୟ ଲୋକ ଏକଜୁଟ୍ ହୋଇ ୱାର୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁଶିଲ୍ ଭୋଇ।
୨/୩ଟି ସ୍ବେରେଜ୍ ଟାଙ୍କି ଚୋକ୍ ହୋଇ ଏକ ଫୁଟ୍ ଉଚ୍ଚର ମଇଳା ପାଣି ରାସ୍ତାରେ ଭାସୁଛି। ନିକଟରେ ଚନ୍ଦ୍ରଶେଖରପୁର ଥାନା, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍, ଇଞ୍ଜିନିୟରିଂ କଲେଜ୍, ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବହୁ ବିଶିଷ୍ଟ ଲୋକଙ୍କ ଘର ଓ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଥିବାରୁ ସେହି ବାଟ ଦେଇ ପ୍ରତିଦିନ ଶହ ଶହ ଯାନବାହନ ଓ ଛାତ୍ରଛାତ୍ରୀ ଯାତାୟାତ କରୁଛନ୍ତି। ଏବେ ସେହିସ୍ଥାନ ଦୁର୍ଗନ୍ଧରେ ଫାଟିପଡ଼ୁଛି ।
ଉକ୍ତ ରାସ୍ତା ଏକ ଭିଆଇପି ରାସ୍ତା ହୋଇଥିବାରୁ ଅନେକ ଭିଭିଆଇପି ସେହି ରାସ୍ତାଦେଇ ଯାତାୟାତ କରୁଛନ୍ତି । ଶୈଳଶ୍ରୀବିହାର ଓ ଚନ୍ଦ୍ରଶେଖରପୁର ଥାନା ନିକଟ ଗୌରୀ ନଗର ଅଞ୍ଚଳର ସ୍ବେରେଜ୍ ପାଣି ରାସ୍ତାରେ ଭାସୁଥିବା ବେଳେ ଏବେ ଏହି ସମସ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ କିଛି ବାଇକ୍ ଓ ସାଇକେଲ୍ ଚାଳକ ରାସ୍ତାରେ ଥିବା ମଇଳା ପାଣି ଗାତରେ ପଡ଼ି ଆହତ ହେଉଛନ୍ତି।
ସ୍ଥାନୀୟ ଯୁବନେତା କାଳିପ୍ରସାଦ ସିଂଙ୍କ କହିବା ଅନୁଯାୟୀ ନିକଟରେ ଥିବା କିଛି କୁନିପିଲା ସ୍କୁଲ୍ରୁ ଫେରୁଥିବା ବେଳେ ଶନିବାର ମଧ୍ୟାହ୍ନରେ ମଇଳା ପାଣିରେ ଗଳିପଡ଼ି ଗୁରୁତର ଆହତ ହୋଇଥିଲେ। ଏପରି ସମସ୍ୟା ବାରମ୍ବାର ଘଟୁଥିଲେ ମଧ୍ୟ କାହିଁକି ସେଠାରେ ସ୍ବେରେଜ୍ ମରାମତି କାର୍ଯ୍ୟ କରାଯାଉନାହିଁ ସେନେଇ ସ୍ବେରେଜ୍ ବୋର୍ଡ କିଛି ଉତ୍ତର ଦେଉନହିଁ। ଏହି ସମସ୍ୟାର ସମାଧାନ ନହେଲେ ଉକ୍ତ ରାସ୍ତାରେ ଯାତାୟାତ ବେଳେ ଲୋକେ ସମସ୍ୟାରେ ପଡ଼ିବେ ବୋଲି ବରିଷ୍ଠ ନାଗରିକ ଚକ୍ରଧର ମହାନ୍ତି କହିଛନ୍ତି।