ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁରୀ ମନ୍ଦିରର ପବିତ୍ରତା ରକ୍ଷା ପାଇଁ ପ୍ରଶାସନର ପଦକ୍ଷେପ

433

କନକ ବ୍ୟୁରୋ : ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ । ମେଘନାଦ ପାଚେରୀ କଡରେ ପରିସ୍ରା କରିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସଚେତନ ହେଲା ଜିଲ୍ଲା ପ୍ରଶାସନ । ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ମେଘନାଦ ପାଚେରୀ କଡ଼କୁ ଆଉ ଅପରିସ୍କାର ହେବନି ।  ମେଘନାଦ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ । ମେଘନାଦ ପାଚେରୀର ପବିତ୍ରତା ରକ୍ଷା ଓ ମରାମତି ପାଇଁ ନିରନ୍ତର ଭାବେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ କରାଯାଇଛି  ।

ମେଘନାଦ ପାଚେରୀ କଡ଼କୁ ପ୍ରଶାସନର କଡ଼ା ନଜର । ଆଉ ମଇଳା ହେବନି ମେଘନାଦ ପାଚେରୀ କଡ଼ । ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ଆରମ୍ଭ କରାଗଲା । ତେବେ ଜିଲ୍ଲା ପ୍ରଶାସନ ସହ ଲୋକେ ମଧ୍ୟ ସଚେତନ ହେଲେ ମେଘନାଦ ପାଚେରୀ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ । ଏହା ସହିତ ମେଘନାଦ ପାଚେରୀର ବାହାର ପାର୍ଶ୍ୱରୁ ଉଛେଦ କରାଯାଇଥିବା ସ୍ଥାନରେ ଖୁବ୍ ଶୀଘ୍ର ଏଏସଆଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବ । ମେଘନାଦ ପାଚେରୀ କଡରେ କିଛି ଲୋକ ପରିଶ୍ରା କରୁଥିବାର ଖବର ଗତକାଲି କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରୟା ରଖାଯାଇଛି ।

ସୂଚନାଯୋଗ୍ୟ ପୁରୀର ସୁରକ୍ଷା ଓ ମହାପ୍ରଭୁ ଜଗନ୍ନାଥ ଧାମକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରେ ଚାଲିଛି ଉଚ୍ଛେଦ କାମ । ଜଗନ୍ନାଥ ଧାମର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଯୋଜନା ଆରମ୍ଭ କରିଦେଇଛନ୍ତି । ହେଲେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମେଘନାଦ କଡ଼ରେ ଲୋକମାନେ ପରିସ୍ରା କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ଓଡ଼ିଆଙ୍କ ପ୍ରାଣବିନ୍ଦୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏପରି ଅସମ୍ମାନ ପରେ ଜଗନ୍ନାଥପ୍ରେମୀ ମାନେ ବିରୋଧ କରିବା ସହ ଦୁଃଖ ପ୍ରକାଶ କରିଥିଲେ ।  ଗତକାଲି ଏନେଇ ଖବର ପ୍ରସାରଣ ପରେ ଆଜି ପ୍ରଶାସନ ପକ୍ଷରୁ ଭାମ୍ର୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯାଇଛି ।