ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ପରେ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା : କହିଲେ ଓଡିଶାରେ ହୋଇଛି ବିଜେପି-ବିଜେଡି ଦ୍ୱିମୁଖୀ ଲଢ଼େଇ, ମୈଦାନରେ ନାହିଁ କଂଗ୍ରେସ

269

କନକ ବ୍ୟୁରୋ : ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ପରେ ଜାତୀୟ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ଧର୍ମେନ୍ଦ୍ର କହିଲେ, ଓଡିଶାରେ ରାଜନୈତିକ ଲଢେଇ କେବଳ ଦୁଇଟି ଦଳ ମଧ୍ୟରେ ଚାଲିଛି । ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେଉଥିବାବେଳେ କଂଗ୍ରେସ ମୈଦାନରେ ହିଁ ନାହିଁ । ସେହିପରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ୨୦୧୪ରେ ଆଶାର ଲଢେଇ ହୋଇଥିବାବେଳେ ୨୦୧୯ରେ ଏହା ବିଶ୍ୱାସ ଓ ଭରସାର ଲଢେଇରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭୋଟରଙ୍କ ଭରସାକୁ ନେଇ ଲଢେଇ କରିଥିଲା ଭାରତୀୟ ଜନତା ପାର୍ଟି ।

ମୋଦିଙ୍କ ଶାସନ କାଳରେ ଦେଶ ସୁରକ୍ଷିତ ଥିବା ଲୋକେ ବିଶ୍ୱାସ କଲେ । ସେହିପରି କେବଳ ଭାଷଣବାଜିରେ ବିଶ୍ୱାସ ନକରି ମୋଦି ସରକାର ସେବା ପ୍ରଦାନ କରିବାରେ ବିଶ୍ୱାସୀ ବୋଲି ଲୋକଙ୍କ ଭିତରେ ଭରସା ସୃଷ୍ଟି ହୋଇପାରିଲା । ତେବେ ଉପକୂଳ ଓଡିଶାରେ ପୁରୀ ଓ କେନ୍ଦ୍ରାପଡାରେ ବିଜେଡିକୁ କଡା ଟକ୍କର ଦେଇଥିବା କଥା ସାକ୍ଷାତକାରରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର । ଉଭୟ ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ନେତାଙ୍କୁ ବିଜେପି ପ୍ରାର୍ଥୀ କରିନଥିଲେ ଉପକୂଳ ଅଂଚଳରେ ଦଳର ପ୍ରଦର୍ଶନ ଆହୁରି ପ୍ରଭାବିତ ହୋଇଥାନ୍ତା ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ପ୍ରବେଶ କରିବା ପାଇଁ ବିଜେପି ଉଦ୍ୟମ ଚଳାଇଥିବା ଭୋଟର ଅନୁଭବ କଲେ ବୋଲି ସେ ଜାତୀୟ ଗଣମାଧ୍ୟମରେ କହିଛନ୍ତି ।