କଳାହାଣ୍ଡି କୋକସରାରେ ଡେଙ୍ଗୁ ଆତଙ୍କ : ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବଢିଲା

30

କନକ ବ୍ୟୁରୋ : କଳାହାଣ୍ଡି କୋକସରାରେ ଅଣାୟତ ହେଉଛି ଡେଙ୍ଗୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡୁଗାଁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରକ୍ତ ନମୂନା ମଧ୍ୟରୁ ୪୫ଟି ରିପୋର୍ଟରେ ଡେଙ୍ଗୁ ପଜିଟିଭ୍ ଆସିଛି । ପ୍ରଥମ ଦିନରେ ୨୪ଟି ପଜିଟିଭ୍ ବାହାରିଥିବାବେଳେ ଦ୍ୱିତୀୟ ଦିନରେ ୩୦ଟି ନମୁନାରୁ ୨୧ଟି ପଜିଟିଭ୍ ବାହାରିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଡେଙ୍ଗୁ ରୋଗୀ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି । ଲଡୁଗାଁରେ ପହଂଚି ଡାକ୍ତରୀଦଳ ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି । ଆହୁରି ଅଧିକ ଲୋକଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଉଛି । ରକ୍ତ ନମୂନା ସବୁ କଳାହାଣ୍ଡି ଓ ବଲାଙ୍ଗିର ମେଡିକାଲକୁ ପରୀକ୍ଷା ପାଇଁ ପଠାଯାଉଛି । ଲଡୁଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

dengue in odisha
image courtesy-http://www.godrejhit.com

ସୂଚନାଯୋଗ୍ୟ ଗତ ୮ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ଭବାନୀପାଟଣା ପଠା ଯାଇଥିଲା । ୪୫ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ୭ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ତିହାଡି ପ୍ରକାଶ କରିଛନ୍ତି । ସେମାନେ ହେଲେ ଲଡୁଗାଁ ଗ୍ରାମର ନୀତେଶ କୁମାର, ଦେବୀଶ୍ୱର ପାଣିଗ୍ରାହୀ, ମେନକା ପାଣିଗ୍ରାହୀ, ବଣ୍ଟୁ ପାଣିଗ୍ରାହୀ, ହାରାବତୀ ନାଏକ, ସାଗର ବାଗ, କାଇ ପାଣିଗ୍ରାହୀ। ଅନ୍ୟପଟେ ବେସରକାରୀ ହିସାବରେ ରୋଗୀଙ୍କ ସଂଖ୍ୟା ୫୦ରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସେହିପରି ମ୍ୟାଲେରିଆରେ ମଧ୍ୟ ଅନେକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି।