ପୁଅର କର୍ତ୍ତବ୍ୟ କଲେ ଝିଅ : ବାପାଙ୍କ ଶବ କାନ୍ଧେଇବା ସହ ମୁଖାଗ୍ନି ଦେଲେ

707

କନକ ବ୍ୟୁରୋ : ପୁତ୍ ନାମକ ନର୍କରୁ ଉଦ୍ଧାର କରିବ ପୁଅ । ବଂଶରକ୍ଷା କରିବା ସହ ମଲାବେଳେ ପୁଅ ମୁଖାଗ୍ନି ଦେଲେ ବାପାମା’ଙ୍କର ସ୍ୱର୍ଗପ୍ରାପ୍ତି ହେବ । ପ୍ରତିବର୍ଷ ପିଣ୍ଡଦାନ କରିବ ପୁଅ । ଏପରି ମନୋଭାବ ଯୋଗୁଁ ସମସ୍ତେ ପୁତ୍ର୍ରପ୍ରାପ୍ତି ଆଶା ରଖିଥାଆନ୍ତି । ହେଲେ ଏପରି ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ମାଲକାନଗିରିର ଦୁଇ ଝିଅ । ପୁଅ ଯେ କେବଳ ବାପାଙ୍କୁ ମୁଖାଗ୍ନି ଦେବାର ଅଧିକାର ରହିଛି, ତା’ନୁହେଁ ସମୟ ଆସିଲେ ଝିଅ ମଧ୍ୟ ପୁଅର କର୍ତ୍ତବ୍ୟ କରିପାରେ ବୋଲି ପ୍ରମାଣ କରି ଦେଖାଇ ଦେଇଛନ୍ତି । ବାପାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବ ରଖିଲେ ନାହିଁ ଦୁଇ ଝିଅ । ଯାହାକି ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଛି।

ପୁଅ ଭଳି ବାପାଙ୍କ ଶବକୁ କାନ୍ଧେଇବା ସହ ମୁଖାଗ୍ନି ବି ଦେଲେ। ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡାରେ ରହୁଥିଲେ ସୁଶାନ୍ତ ପଟ୍ଟନାୟକ। ପରିବାର କହିଲେ ପତ୍ନୀ ଏବଂ ୩ଝିଅ। ବ୍ୟବସାୟ କରି ସୁଶାନ୍ତ ପରିବାର ଚଳାଉଥିଲେ। ତେବେ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ପ୍ରଥମେ ମାଲାକନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା । ଅନ୍ୟପଟେ ଝିଅମାନେ ବାପାଙ୍କୁ ପୁଅର ଅଭାବ କେବେ ହେବାକୁ ଦେଇ ନଥିଲେ । ଶେଷ ସମୟରେ ବି ବାପାଙ୍କ ପାଖେ ପାଖେ ରହିଥିଲେ । ଶବ ମାଲକାନଗିରି ପହଞ୍ଚିବା ବେଳକୁ ଦୁଇ ଝିଅ ନିକଟରେ ଥିଲେ। ବ୍ରହ୍ମପୁରରେ ଚାକିରି କରୁଥିବା ବଡ଼ ଝିଅ ଖବର ପାଇ ଘରେ ପହଞ୍ଚିଥିଲା। ଏହାପରେ ସାନ ଦୁଇ ଝିଅ ବାପାଙ୍କ କୋକେଇ କାନ୍ଧେଇ ଶ୍ମଶାନକୁ ଚାଲିଥିଲେ । ଝିଅ ଶବ କାନ୍ଧେଇବା ପରମ୍ପରା ହିନ୍ଦୁ ଧର୍ମରେ ବିଶେଷ କରି ଦେଖିବାକୁ ମିଳେନାହିଁ । ହେଲେ ଆଜିର ଘଟଣା ଲୋକଙ୍କୁ ଚକିତ କରିଥିବା ବେଳେ ମୁହଁରୁ ଆପେ ଆପେ ପ୍ରଶଂସା ବି ବାହାରି ପଡ଼ୁଥିଲା । ଶବକୁ ମୁଖାଗ୍ନି ଦେଇ ଦୁଇ ଝିଅ ନିଜ ଦାୟିତ୍ବ ତଥା କର୍ତବ୍ୟକୁ ସଂପାଦନ କରିଥିଲେ ।

ପୁଅ ନଥିବା ସତ୍ତ୍ବେ ଝିଅମାନଙ୍କୁ ଅଧିକ ସ୍ନେହ ଦେଉଥିଲେ ସୁଶାନ୍ତ । ବାପାଙ୍କର ଅକାଳ ବିୟୋଗରେ ଝିଅମାନେ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କିନ୍ତୁ ଧୈର୍ଯ୍ୟ ହରାଇ ନାହାନ୍ତି । ପୁଅ ଜନ୍ମ ହେଲେ ବଂଶ ବଢ଼ାଇବ ଏବଂ ବାପାଙ୍କ ଶବକୁ ମୁଖାଗ୍ନି ଦେବ ବୋଲି ଯେଉଁ କଥା ରହିଛି ତାକୁ ମିଥ୍ୟା ପ୍ରମାଣିତ କରିଥିଲେ ଏହି ତିନି ଝିଅ । ପୁଅ ଯେଉଁ ଯେଉଁ କାର‌୍ୟ୍ୟ କରିଥାନ୍ତା ତାହାକୁ ସେମାନେ ନିଷ୍ଠାର ସହ ତୁଲାଇଛନ୍ତି । ଏହି ଦୃଶ୍ୟ ଦେଖିଥିବା ଲୋକଙ୍କ ମୁହଁରେ ଗୋଟିଏ କଥା, ‘ ଝିଅ ବି କି କମ୍ ନୁହନ୍ତି’ ।

Comments are closed.