ନବୀନଙ୍କ ଆଗରେ ମାନ କଲେ ଦାମ ! ବୈଠକ ଅଧାରୁ ଉଠିଗଲେ ମନ୍ତ୍ରୀ

24

କନକ ବ୍ୟୁରୋ : ନବୀନଙ୍କ ଆଗରେ ନିଜ ଅଭିମାନ ଦେଖାଇଲେ ମନ୍ତ୍ରୀ ଦାମ ରାଉତ । ବିଜେଡି ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଦାମବାବୁ ନିଜ ଆସନରୁ ଉଠି କର୍ମୀଙ୍କ ଗହଣକୁ ଚାଲି ଆସିଥିଲେ । ପରେ ଯୁବ ବିଜେଡି ସଂପାଦକ ବିଜୟ ନାୟକ, ଦାମବାବୁଙ୍କୁ ବୁଝାବୁଝି କରି ତାଙ୍କ ସିଟକୁ ଫେରାଇ ନେଇଥିଲେ । ବୈଠକ ଆରମ୍ଭରୁ ଜିଲ୍ଲାର ଦଳୀୟ କନ୍ଦଳ ବାରି ହୋଇ ପଡୁଥିଲା ।

ଆଜି ବିଜେଡିର ଜଗତସିଂହପୁର ଜିଲ୍ଲା ପଂଚାୟତ ନିର୍ବାଚନ ପୋଷ୍ଟମଟମ୍ କରୁଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଜିଲ୍ଲାୱାରୀ ସମୀକ୍ଷା କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ବିଶେଷ ଗୁରୁତ୍ୱ ରହିଛି । ଜିଲ୍ଲାର ଦୁଇ ବରିଷ୍ଠ ନେତା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି ।

ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଜିଲ୍ଲାର ଏହି ତିନି ପ୍ରମୁଖ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି, ପୁଣି ନବୀନଙ୍କ ନିକଟରେ । ପଂଚାୟତ ନିର୍ବାଚନରେ ଦାମଙ୍କ ଗଡ଼଼ରେ ବିଜେପି ଖାତା ଖୋଲିଥିବାରୁ ଆଜି ସମୀକ୍ଷା ବୈଠକରେ ଏନେଇ ଆଲୋଚନା ସରଗରମ ହୋଇପାରେ ।

ଜିଲ୍ଲାରେ ଦଳୀୟ ସ୍ଥିତି ସଂପର୍କରେ ନବୀନଙ୍କ ପ୍ରଶ୍ନର ଉତର ଏହି ନେତାମାନେ କିପରି ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମୀକ୍ଷା ବୈଠକରେ ତିନି ନେତାଙ୍କ ସମର୍ଥକମାନେ ଦଳୀୟ ସ୍ଥିତି ସଂପର୍କରେ କି ଅଭିଯୋଗ ରଖିବେ, ତାହା ଉପରେ ମଧ୍ୟ ନଜର ରହିଛି ।