ବିଜେଡ଼ିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା : ଦୁଇ ନେତାଙ୍କ ପରବର୍ତ୍ତୀ ରଣନୀତି ଉପରେ ନଜର

44

କନକ ବ୍ୟୁରୋ : ଦାମଙ୍କୁ ଭେଟିଲେ ବୈଜୟନ୍ତ । ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦାମଙ୍କ ସରକାରୀ ବାସଭବନରେ ବୈଜୟନ୍ତ ପଣ୍ଡା ସାକ୍ଷାତ କରିଛନ୍ତି । ଦାମ ଓ ବୈଜୟନ୍ତଙ୍କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି । ଦୁଇ ନେତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଦାମ ରାଉତ ଓ ବୈଜୟନ୍ତଙ୍କୁ ଗୋଟିଏ ଶୈଳୀରେ ଦଳରୁ ବିଦା କରାଯାଇଥିଲା । ତେଣୁ ଏହି ଦୁଇ ନେତାଙ୍କ ମଧ୍ୟରେ କି ଆଲୋଚନା ହୋଇଛି ଓ କ’ଣ ରଣନୀତି ପ୍ରସ୍ତୁତ ହୋଇଛି ସେ ଉପରେ ସମସ୍ତଙ୍କ ନଜର ରହିଛି । ୨୦୧୯ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକିଥିବାବେଳେ ଦାମ ଓ ବୈଜୟନ୍ତଙ୍କ ଭଳି ବଡ ନେତା କି ନିଷ୍ପତ୍ତିନେଉଛନ୍ତି, ତାକୁ ଅପେକ୍ଷା କରାଯାଉଛି ।

ସାକ୍ଷାତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦାମ ରାଉତ୍ । ଦାମ କହିଛନ୍ତି ଦଳରୁ ବହିଷ୍କାର ଖବର ଶୁଣି ବୈଜୟନ୍ତ ମୋତେ ସାକ୍ଷାତ କରିବା ପାଇଁ ଆସିଥିଲେ । ସେ କହିଛନ୍ତି ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା । କୌଣସି ରାଜନୈତିକ ଉଦ୍ଦେଶ୍ୟରେ ସାକ୍ଷାତ ହୋଇନାହିଁ । ଦାମ କହିଛନ୍ତି ବିଜୁ ବାବୁଙ୍କ ନୀତି ନେଇ ଆମେ ରାଜନୀତି କରୁଥିଲୁ । ଆଉ ଏବେ ସେମାନଙ୍କୁ ଜଣଜଣଙ୍କୁ ବିଦା କରସାରିଲେଣି ମୁଖ୍ୟମନ୍ତ୍ରୀ । ଏବେ ଯେଉଁମାନେ ରାଜନୀତିରେ ଅଛନ୍ତି ସେମାନେ କେହି ବିଜୁ ବାବୁଙ୍କୁ ଦେଖିନାହାନ୍ତି କି ତାଙ୍କ ସହ କାମ କରିନାହାନ୍ତି । ଅଧିକାଂଶ ବିଧାୟକ ଦୁର୍ନିତୀରୁ ରାଜନୀତିକୁ ପ୍ରବେଶ କରିଛନ୍ତି । ସେ କହିଛନ୍ତି ବିଜେଡ଼ିରେ ଆଉ ବିଜୁ ଆଦର୍ଶ ନାହିଁ । ନବୀନ ବାବୁ ସ୍ଥିତି ରଖିବାକୁ ନିଜ ନୀତି ବଦଳାଉଛନ୍ତି । ରାଜ୍ୟବାସୀଙ୍କ ପ୍ରତି ନବୀନ ବାବୁଙ୍କର ପ୍ରତିବଦ୍ଧତା ନାହିଁ । ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରିବା କଥା କହୁଥିଲେ ମଧ୍ୟ ରାତିଅଧିଆ ଯାହା କରିବା କଥା କରୁଛନ୍ତି । ଯାହା ରାଜ୍ୟସଭା ଉପନିର୍ବାଚନରେ ସ୍ପଷ୍ଟ ହୋଇଛି ।

Baijayant Jay Panda, Kendrapara

ସେପଟେ ସାକ୍ଷାତ କରେ ବୈଜୟନ୍ତ ପଣ୍ଡା କହିଛନ୍ତି ବିଜେଡ଼ି ଦାମଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଯିଏ ଅଭିଯୋଗ କରୁଛି ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୁର୍ନୀତି ବିରୋଧରେ ନା କୌଣସି ଯାଂଚ ହେଉଛି ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଜେଡ଼ିରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଉଛି । ଅଭିଯୋଗକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ।

ସୂଚନାଯୋଗ୍ୟ ବିଜେଡିରୁ ଗତକାଲି ବହିଷ୍କୃତ ହୋଇଛନ୍ତି ଦାମୋଦର ରାଉତ । ଦଳବିରୋଧୀ ମନ୍ତବ୍ୟ ଦାମଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ପ୍ରେସ ଇସ୍ତାହାରରେ ପ୍ରକାଶ ପାଇଛି । ତେବେ ବିଜେଡିରୁ ବହିଷ୍କୃତ ହେବା ପରେ ଦଳ ଓ ସୁପ୍ରିମୋଙ୍କ ବିରୋଧରେ ଗତକାଲେଇ ବିଷ ଓଗାଳିଥିଲେ ଦାମ । ତାଙ୍କୁ ବିନା କାରଣରେ ମନ୍ତ୍ରୀପଦରୁ ବିଦା କରାଯାଇଥିଲା । ଏପରିକି ଦଳର ଉପସଭାପତି, ପଯ୍ୟବେକ୍ଷକ ପଦରୁ ମଧ୍ୟ ବିନା କାରଣ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିଲା । ଆଉ ଏବେ ଦଳରୁ ବହିଷ୍କୃତ କରିବା ପରେ ଅଧିକ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ଡିସେମ୍ବର ମାସରୁ ସେ ଦଳରେ ଥିବା କଥା ଜାଣିପାରୁନାହାନ୍ତି । ଏପରିକି ଏହି ସମୟ ମଧ୍ୟରେ ତାଙ୍କୁ ଦଳ ପକ୍ଷରୁ କେହି ସର୍ମ୍ପକ କରିନଥିବା କହିଛନ୍ତି ଦାମ । ଗତ କିଛି ଦିନ ହେବ ଦଳ ବିରୋଧରେ ବେଶ ଆକ୍ରାମକ ହୋଇ ଉଠିଥିଲେ ଦାମ । ବିଭିନ୍ନ ବିଭାଗରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କ ପାଇଁ ସେ ଅଡୁଆ ସୃଷ୍ଟି କରୁଥିଲେ । ଚାରା, ଓମ୍ଫେଡ ଓ ସମବାୟ ଋଣ ଦୁର୍ନୀତି ନେଇ ସରକାରଙ୍କୁ ଘେରିଥିଲେ ଦାମ ।