ଆଜି ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ ଅମ୍ଫାନ୍ : ପାଣିପାଗ ସଂସ୍ଥା ମାନଙ୍କର ଆକଳନ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସହ ୧୫୦କି.ମି.ରେ ବହି ପାରେ ପବନ, କେଉଁଠି କରିବ ଲ୍ୟାଣ୍ଡଫଲ ସ୍ପଷ୍ଟ ହୋଇନି ?

2,396

କନକ ବ୍ୟୁରୋ : ଆଜି ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ ଅମ୍ଫାନ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଆଜି ସନ୍ଧ୍ୟାରେ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ । ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ବଙ୍ଗୋପସାଗରରେ ଜଳବାୟୁର ସ୍ଥିତି ବାତ୍ୟାକୁ ସୁହାଉଛି ବୋଲି ଆକଳନ କରାଯାଉଛି । ୨୦ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ତେବେ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଓଡିଶା ଉପରେ କି ପ୍ରଭାବ ପକାଇବ କିଂବା କେଉଁଠି ଏହା ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ କରି ପାରନି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ ପଶ୍ଚିମବଙ୍ଗ, ଓଡିଶା ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ବାତ୍ୟାର ଏହି ମୁହୂର୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଏହାର ପ୍ରଭାବ ସବୁଠାରୁ ଅଧିକ ଥାଏ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ ବାତ୍ୟାର ରୂପ ନେବା ପରେ ଏହାର ଗତିପଥ ନେଇ କିଛି ସ୍ପଷ୍ଟ କରି କୁହାଯାଇପାରିବ । ଅନ୍ୟ ଦେଶର କିଛି ପାଣିପାଗ ସଂସ୍ଥା ଏହି ବାତ୍ୟା ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରୁଥିବାବେଳେ ଅନେକ ଭରଷା ଯୋଗ୍ୟ ପାଣିପାଗ ପୂର୍ବାନୁମାନ ସଂସ୍ଥା କହୁଛନ୍ତି, ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ମୁହାଁ ହୋଇପାରେ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଉଛି । ତେଣୁ ଏହି ସାମୁଦ୍ରିକ ବାତ୍ୟା ଅଧିକ ଶକ୍ତିଶାଳୀ ରହିବ ବୋଲି ଅନୁମାନ କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ୧୮ ତାରିଖ ବେଳକୁ ରାଜ୍ୟର ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିପାରେ । ୧୯ ତାରିଖ ବେଳକୁ ରାଜ୍ୟର ଉପକୂଳ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଉପକୂଳରେ ଏହି ସମୟରେ ପବନର ବେଗ ୪୦ରୁ ୬୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି ।