ତାଲା ବନ୍ଦରେ ଭାରତ : ଚାରିଆଡେ କଟକଣା, ଆଜିଠୁ ଆହୁରି ଅଧିକ କଠୋର ହେବ ପୋଲିସ

4,514

କନକ ବ୍ୟୁରୋ : ତାଲା ବନ୍ଦରେ ଭାରତ । ଚାରିଆଡେ କଟକଣା । ସାରା ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବା ବେଳେ ବିନା କାମରେ ରାଜରାସ୍ତାକୁ ଆସି ଆଇନ ଉଲ୍ଲଂଘନ କରି ଚାଲିଛନ୍ତି ଜନସାଧାରଣ । କେବଳ ଆଇନ ଉଲ୍ଲଂଘନ କରୁନାହାନ୍ତି, କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ହଇରାଣ ହରକତ କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ଚେତୁ ନାହାନ୍ତି ଅମାନିଆ ଯୁବକ। ପୁଲିସ ତିନି ଦିନ ଧରି ସଚେତନ କରି ଚାଲିଛି । ଏହାରି ଭିତରେ ଆଜିଠୁ ଆହୁରି ଅଧିକ କଠୋର ହେବ ପୋଲିସ ।

ବିନା ଜରୁରୀ କାମରେ ରାସ୍ତା ଉପରେ ବୁଲୁଥିବା ଉଲ୍ଲଂଘନକାରୀଙ୍କ ଉପରେ କଠୋର ହେବ କାର୍ଯ୍ୟାନୁଷ୍ଠାନ । ୨୧ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ନିୟମ ମାନିନଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ନିୟମ ଭାଙ୍ଗିଥିବା ଲୋକଙ୍କୁ ଧରି ପୋଲିସ ଦଣ୍ଡ ଦେଇଛି । ରାସ୍ତାରେ ଲୋକଙ୍କୁ ଅଟକାଇ ପୁଲିସ କାହିଁକି ଘରୁ ବାହାରିଛ ବୋଲି ପ୍ରଶ୍ନ କରିଛି । ଆଉ ଯିଏ ସନ୍ତୋଷ ଜନକ ଉତର ଦେଇପାରି ନାହିଁ ତାକୁ ମିଳିଛି ଦଣ୍ଡ ।

ରାସ୍ତା ଉପରେ ଅମାନିଆ ଗାଡି ଚାଳକଙ୍କୁ ଉଠବସ କରାଇଛି ପୋଲିସ । ବାଇକରେ ବିନା ଆବଶ୍ୟକତାରେ ପଇଁତରା ମାରୁଥିବା ଯୁବକଙ୍କୁ ଧରି ଶାସ୍ତି ଦିଆଯାଇଛି । କିଛି ସ୍ଥାନରେ ଗୋଡାଇ ଗୋଡାଇ ପିଟିଛି ପୋଲିସ । କେଉଁଠି ୧୦ଥର ତ ଆଉ କେଉଁଠି ୨୦ ଥର ଉଠବସ କରାଯାଇଛି । ଅବୁଝା ଅମାନିଆ ଚାଳକଙ୍କ ଏଭଳି ଆଇନ୍ ଉଲ୍ଲଂଘନକୁ କ୍ୟାମେରାରେ କଏଦ କରିଛି ପୋଲିସ । ନିର୍ଦ୍ଦେଶ ମାନୁନଥିବା ଲୋକଙ୍କୁ କେଉଁଠି ପୋଷ୍ଟର ଧରି ଛିଡା କରାଇଛି ତ ଆଉ କେଉଁଠି ଲୋକଙ୍କୁ ଘଉଡାଇବାକୁ ପୁଲିସ ଲାଠି ମାଡ କରିଥିବା ଦୃଶ୍ୟ ମଧ୍ୟ କଏଦ ହୋଇଛି ।