ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ ! ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ କଥା ମନେପଡ଼ିଲା କିପରି, ଆଗରୁ କେଉଁଠି ଥିଲେ ମୋଦି ?

112

କନକ ବ୍ୟୁରୋ : ଛୋଟ ଓ ସୀମାନ୍ତ କୃଷକଙ୍କ ପାଇଁ ପିଏମ କିଷାନ୍ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଗତକାଲି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଏକ ବଡ ଭୋଟ୍ ବ୍ୟାଙ୍କ୍ କୁହାଯାଉଥିବା ଚାଷୀ ସଂପ୍ରଦାୟଙ୍କୁ ମନ ଜିଣିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର।  ତେବେ ଏହି ଯୋଜନା ଆରମ୍ଭ ହେବା ପରେ କଂଗ୍ରେସ ଟାର୍ଗେଟକୁ ଆସିଯାଇଛନ୍ତି ମୋଦି ସରକାର ।

କଂଗ୍ରେସ ଅଭିଯୋଗ କରିଛି ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଛବି ବଦଳାଇବା ପାଇଁ କେନ୍ଦ୍ର ସରକାର କୃଷକଙ୍କ ହିତ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ନିଜର ଶାସନକାଳ ଭିତରେ କୃଷକଙ୍କ ପାଇଁ କିଛି କରିନାହାନ୍ତି ମୋଦି ସରକାର । କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା କହିଛନ୍ତି କୃଷକଙ୍କ କଷ୍ଟ ତଥା କୃଷକଙ୍କ ହିତ କଥା ମୋଦିଙ୍କୁ ଏବେ ମନେପଡ଼ିଲା । ତେବେ ସ୍ୱତଃପ୍ରବୃତ୍ତ ଭାବେ କୃଷକଙ୍କୁ ମନେ ପକାଇନାହାନ୍ତି ମୋଦି । କଂଗ୍ରେସ ଅଧ୍ୟକ୍ଷ ନିକଟରେ ୩ ରାଜ୍ୟରେ କୃଷି ଋଣ ଛାଡ଼ କରିବା ପରେ ମୋଦିଙ୍କୁ କୃଷକଙ୍କ କଥା ମନେପଡ଼ିଲା ।

ସୂଚନାଯୋଗ୍ୟ ଗତକାଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଶାନ ସମ୍ନାନ ନିଧି ଯୋଜନା ୟୁପି ଗୋରଖପୁର ଠାରୁ ଶୁଭାରମ୍ବ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏକ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ପହଂଚିଛି ୨ ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି  । ପର୍ଯ୍ୟାୟ କ୍ରମେ ୧୨ କୋଟି ଚାଷୀଙ୍କ ପାଖକୁ ୩ଟି କିସ୍ତିରେ ଟଙ୍କା ପଠାଇବେ ମୋଦି । ଖେଡ଼ା ମିଡ଼ିଆକୁ କହିଛନ୍ତି ମୋଦିଙ୍କୁ ନିଜ ଛବି ବଂଚାଇବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ପଡ଼ିଲା । ଏହାବ୍ୟତୀତ ସେ ଦାବି କରିଛନ୍ତି ନିର୍ବାଚନ ପୂର୍ବରୁ ମୋଦିଙ୍କ ଏପରି ନିର୍ବାଚନୀ ଭେଳିକି କାମ କରିବ ନାହିଁ ।

ଆସାମରେ ବିଷାକ୍ତ ମଦ ପିଇ ୧୨୪ ଜଣଙ୍କ ମୃତ୍ୟୁ ଘଟଣା ଓ ଅରୁଣାଚଳ ପ୍ରଦେଶରେ ହୋଇଥିବା ହିଂସା ବିଷୟରେ ମୋଦି କାହିଁକି ଚୁପ୍ ଅଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ କଟାକ୍ଷ କରି କହିଛି, ମୋଦି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି । ଦିନକୁ ତିନି ଚାରି ଥର ପୋଷାକ ବଦଳାନ୍ତି । ହେଲେ ଲୋକେ ଯେଉଁଥିପାଇଁ ତାଙ୍କୁ ଚୟନ କରିଛନ୍ତି, ସେକାମ କିଛି ବି କରନ୍ତି ନାହିଁ । ହେଲେ ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି ।