କନକ ବ୍ୟୁରୋ : ଆସନ୍ତା ୨୨ ତାରିଖଠାରୁ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ । ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ । ୨୪ ତାରିଖ ପରେ ଉପକୂଳ ଓଡ଼ିଶା ଉପରେ ବି କିଛିଟା ପ୍ରଭାବ ପଡ଼ିବ । ରାତିରେ ପାରଦ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିପାରେ । ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/post_attachments/wp-content/uploads/2017/12/Cold-Wave-1-300x178.jpg)
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଲା, ଘୂର୍ଣ୍ଣିଝଡ଼ ଓଡ଼ିଶା ଅତିକ୍ରମ କରିଥିବାରୁ ବୁଧବାରଠାରୁ ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି । ଆଉ କୋହଲା ପାଗ ରହିବ ନାହିଁ । ଆଜିଠାରୁ ସାରା ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି । ତେଣୁ ଥଣ୍ଡା ବଢ଼ିବ । ଦାରିଙ୍ଗବାଡ଼ି, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବ । ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୨୩ ତାରିଖ ଯାଏ ସେଭଳି ପରିବର୍ତନ ହେବନି ।
/kanak/media/post_attachments/wp-content/uploads/2017/12/Cold-Wave-300x169.jpg)
୨୪ ତାରିଖଠାରୁ କ୍ରମାଗତ ଭାବେ ୨ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ତେବେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ବୁଧବାରଠାରୁ କ୍ରମାଗତ ଭାବେ ୫ ଡିଗ୍ରି ପର୍ୟ୍ୟନ୍ତ କମିବ । ଦୁଇ ଦିନ ହେଲା ଜାଡ଼ରେ ଥରୁଥିବା ଓଡ଼ିଶାବାସୀଙ୍କୁ ଆଜି ଟିକିଏ ଆଶ୍ବସ୍ତି ମିଳିଛି । ଦିନର ତାପମାତ୍ରା ବଢ଼ିବା ସହ ସୂର୍ଯ୍ୟଙ୍କ କିରଣ ଦେଖିବାର ସୁଯୋଗ ମିଳିଛି । ସବୁ ସହରର ଦିନର ତାପମାତ୍ରା ୩ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି ।
ହେଲେ ରାତିର ତାପମାତ୍ରାରେ ଆଖିଦୃଶିଆ ହ୍ରାସ ପାଇନି । ସବୁ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା । ଅନ୍ୟପକ୍ଷରେ ଅଦିନିଆ ବର୍ଷା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମାଟିରେ ମିଶି ଯାଇଛି ଫସଲ । କଳାହାଣ୍ଡିରେ କପା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ସମ୍ବଲପୁରରେ ବି ପଡ଼ିଛି ବାତ୍ୟାର ପ୍ରଭାବ। ଚାଷୀର ପରିଶ୍ରମ ବର୍ଷାରେ ଧୋଇ ହୋଇଯାଇଛି ।