ନିର୍ବାଚନୀ ସଭାରୁ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ : କହିଲେ, ଓଡ଼ିଶାବାସୀ ନୁହେଁ ବିଜେପି ପାଇଁ ଭୋଟ୍ ମୂଲ୍ୟବାନ

210

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରସମା ନିର୍ବାଚନୀ ମଣ୍ଡଳୀରୁ ପୁଣି ବିଜେପି ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କୁ କେବେ ବି ବିଜେପି ପ୍ରାଧାନ୍ୟ ଦେଇନି । କେବଳ ଓଡ଼ିଶାବାସୀଙ୍କ ଭୋଟ ହିଁ ବିଜେପି ପାଇଁ ମୂଲ୍ୟବାନ । ନିର୍ବାଚନ ସମୟରେ ହିଁ ବିଜେପିର ବଡ଼ ବଡ଼ ନେତାମାନଙ୍କ ପାଦ ପଡ଼ୁଛି । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ମାସରେ ୧୦ ଥର ଓଡ଼ିଶା ଆସିଲେଣି । ହେଲେ ଆଗରୁ କୁଆଡ଼େ ଥିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାପ୍ରେମ ? ଓଡ଼ିଶାର ଦୁଃଖ ସମୟରେ କାହାର ଦେଖା ମିଳିଲା ନାହିଁ । ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୫ ବର୍ଷରେ ଥରୁଟିଏ ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଇପାରିଲେ ନାହିଁ ।

୨୦୧୪ରେ ଓଡ଼ିଶାରେ ହୁଡ଼ହୁଡ଼ ହୋଇଥିଲା । ଓଡ଼ିଶାବାସୀ କ୍ଷତିଗ୍ରସ୍ତ ହୋଇପଡ଼ିଥିଲେ । ୨୦୧୫ରେ ଭୟଙ୍କର ମରୁଡ଼ି ପରିସ୍ଥିତିର ସାମ୍ନା କରିଥିଲା ଓଡ଼ିଶା । ୨୦୧୭ରେ ଭୟଙ୍କର ବନ୍ୟା ହେବା ସହ ୨୦୧୮ରେ ତିତିଲ ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା । ହେଲେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାବାସୀଙ୍କ କଥା ମନେ ପଡ଼ିଲା ନାହିଁ । ଓଡ଼ିଶାବାସୀ ୫ ବର୍ଷରେ ଅନେକ ଦୈବୀ ଦୁର୍ବିପାକର ସମ୍ମୁଖୀନ ହୋଇଥିଲେ । ହେଲେ ସେଥିପ୍ରତି ପ୍ରଧାନମନ୍ତ୍ରୀଙ୍କ ନଜର ନଥିଲା ।

୨୦୧୪ରେ ହୁଡ଼ହୁଡ଼ ପାଇଁ ଓଡ଼ିଶାକୁ ଅଣଦେଖା କରିବା ସହ ଆନ୍ଧ୍ର ଯାଇଥିଲେ ପ୍ରଧାନମନ୍ତ୍ରୀ । ୨୬ ଅଗଷ୍ଟରେ ବିହାରର ବନ୍ୟାସ୍ଥିତି ଦେଖିବା ପାଇଁ ସେଠାକୁ ଯାଇଥିଲେ । ପ୍ରାକୃତିକ ଦୁର୍ବିପାକ ପାଇଁ ମୋଦି ଗୁଜରାଟ ଠାରୁ ଆରମ୍ଭ କରି ଆସାମ ଓ କେରଳକୁ ଗସ୍ତ କରିଥିଲେ । ହେଲେ ଓଡ଼ିଶା ପାଇଁ କେବେ ସମୟ ମିଳିଲା ପାହିଁ । ଓଡ଼ିଶାକୁ କେବେ ପ୍ରାଧାନ୍ୟ ଦେଇନାହାନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ । ବିପର୍ଯ୍ୟୟ ପରିଚାଳନାରେ ଭଲ କାମ ପାଇଁ ଜାତିସଂଘରୁ ମଧ୍ୟ ଓଡ଼ିଶାକୁ ସ୍ୱୀକୃତି ମିଳିଛି ।