ବିଜେପିରେ ବିଜେଡି ନେତା ଯୋଗଦେବା ନେଇ ଜୁଏଲଙ୍କ ମନ୍ତବ୍ୟର ଜବାବ ରଖିଲେ ନବୀନ ! କହିଲେ, କେନ୍ଦ୍ରମନ୍ତ୍ରୀଙ୍କର ଏହା ଅବାସ୍ତବ କଳ୍ପନା

27

କନକ ବ୍ୟୁରୋ : ବିଜେପିରେ ବିଜେଡି ନେତା ଯୋଗଦେବା ନେଇ ଜୁଏଲଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା କେନ୍ଦ୍ର ମନ୍ଦ୍ରୀଙ୍କ ଅବାସ୍ତବ କଳ୍ପନା ବୋଲି ନବୀନ କହିଛନ୍ତି । ସେହିପରି ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ନୀତିଶଙ୍କ ପ୍ରସ୍ତାବ ଉପରେ ନବୀନ କହିଛନ୍ତି ଯେ, ନିର୍ବାଚନ ଏବେ ବହୁତ ଦୂର ଅଛି ।

ଏନେଇ ଏବେ କୌଣସି ମତ ଦେବା ଉଚିତ ହେବନାହିଁ । ଆଜି ବରଗଡ ଓ ପୁରୀ ଜିଲ୍ଲା ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଗତକାଲି ବିଜେଡି ସାଂସଦ ବିଜେପି ଆଡକୁ ଢଳିବା ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ।

ସେପଟେ ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । କହିଛନ୍ତି ବିଜେଡି ନେତା ବିଜେପିରେ ମିଶିବା ନେଇ ଜୁଏଲ ଓରାମ କହିଥିବା କଥା ସତ ହୋଇପାରେ ମିଛ ବି ହୋଇପାରେ । ବିଜେଡିରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଜୁଏଲ ଏଭଳି କହିଥାଇ ପାରନ୍ତି ବୋଲି କହିଛନ୍ତି ଦାମୋଦର ରାଉତ ।

ଆଉ ଯଦି ଏହା ସତ ହୋଇଥାଏ ତାହା ହେଲେ ସାଙ୍ଘାତିକ୍ । ଦଳର ସୁପ୍ରିମୋ ଏହା ଉପରେ ଅନୁସନ୍ଧାନ କରିବେ । ସେ ଦଳ ବରିଷ୍ଠ ନେତା ନୁହଁ, ବୟସ୍କ ନେତା ବୋଲି କହିଛନ୍ତି । ଏପଟ ସେପଟ ହେଉଥିବା ନେତା ହିଁ ବରିଷ୍ଠ ବୋଲି କହିଛନ୍ତି ଦାମ ।