ଆଜି ରାଜ୍ୟସଭାକୁ ଆସିପାରେ ନାଗରିକତା ସଂଶୋଧନ ବିଲ-୨୦୧୯ : ଲୋକସଭାରେ ପାରିତ ହେବା ପରେ ଉପର ସଦନରେ ମୋଦି ସରକାର ଦେବେ ଅଗ୍ନିପରୀକ୍ଷା

123

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ ୨୦୧୯ । ସୋମବାର ଲୋକସଭାରେ ବହୁମତରେ ସିଏବି ବିଲ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ । ଲୋକସଭାରେ ବିଲ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ ଭୋଟରେ ବିଧେୟକ ପାରିତ ହୋଇଥିଲା । ହେଲେ ରାଜ୍ୟସଭାରେ ବିଜେପି ପାଖରେ ସଂଖ୍ୟା ଏହି ବିଲ ଅନୁମୋଦନ ପାଇଁ ଆବଶ୍ୟକ ସଂଖ୍ୟା ନାହିଁ । ତେବେ ସହଯୋଗୀ ଦଳ ଓ ଆଂଚଳିକ ଦଳ ବିଲକୁ ସମର୍ଥନ ଦେଲେ ବିଲ ଅନାୟସରେ ପାରିତ ହୋଇପାରିବ ।

ରାଜ୍ୟସଭାରେ ବର୍ତମାନ ସଂଖ୍ୟା ରହିଛି ୨୪୦ । ତେଣୁ ବିଲ ପାରିତ ପାଇଁ ଆବଶ୍ୟକ ୨୨୧ଟି ଭୋଟ । ଏନଡିଏ ମେଂଟ ପାଖରେ ରହିଛି ୧୦୬ ସାଂସଦ । ବିଜେପିର ୮୩, ଜେଡିୟୁର ୬ , ଶିରୋମଣି ଅକାଳୀ ଦଳର ୩, ଆରପିଆଇ-୧ ଓ ଅନ୍ୟ ଦଳର ୧୩ ସାଂସଦ ରହିଛନ୍ତି । ସେହିପରି ୟୁପିଏ ପାଖରେ ରହିଛି ୬୨ ସାଂସଦଙ୍କ ସମର୍ଥନ । ୟୁପିଏରେ କଂଗ୍ରେସର ୪୪, ଆରଜେଡି -୪, ଏନସିପି-୪, ଡିଏମକେ-୫ ଓ ଅନ୍ୟାନ୍ୟ ତନି ଜଣ ସାଂସଦ ରହିଛନ୍ତି ।  ସେହିପରି ଏନଡିଏ କିମ୍ବା ୟୁପିଏ ମେଂଟର ନଥିବା ସାଂସଦଙ୍କ ସଂଖ୍ୟା ହେଉଛି ୭୨ । ସେମାନଙ୍କ ମଧ୍ୟରୁ ୯ଟି ରାଜନୈତିକ ଦଳର ୪୪ ଜଣ ସାଂସଦ ବିଲ ବିରୋଧରେ ଥିବା ବେଳେ ୬ଟି ରାଜନୈତିକ ଦଳର ୨୮ ଜଣ ସାଂସଦ ବିଲ ସମର୍ଥନରେ ଅଛନ୍ତି । ତେବେ ବିଲକୁ ଲୋକସଭାରେ ସମର୍ଥନ କରିଥିବା ଶିବସେନା ଓ ଜେଡିୟୁ ରାଜ୍ୟସଭାରେ ମତ ବଦଳାଇବାର ସଙ୍କେତ ମିଳୁଛି । ତେଣୁ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାରିତ ହେବା ନେଇ ଆଶଙ୍କା ଦେଖା ଦେଇଛି ।

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାରିତ କରାଇବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ ନାହିଁ । କାରଣ ଏହି ବିଲକୁ ଲୋକସଭାରେ ସମର୍ଥନ କରିଥିବା ଦୁଇଟି ଦଳ ଏବେ ଭିନ୍ନ ମତ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ନାଗରିକତା ବିଲକୁ ନେଇ ଜେଡିୟୁ ମଧ୍ୟରେ ମତଭେଦ ଦେଖା ଦେଇଛି । ଜେଡିୟୁର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଟ୍ୱିଟ୍ କରି ବିଲକୁ ତୀବ୍ର ସମାଲୋଚନା କରିଛନ୍ତି । ଏଥିସହ ଏହି ବିଲ ସମ୍ବିଧାନ ବିରୋଧୀ ବୋଲି ପ୍ରଶାନ୍ତ କିଶୋର ଟ୍ୱିଟ୍ କରିଛନ୍ତି । ଏହାପରେ ଦଳର ବରିଷ୍ଠ ନେତା ପବନ ବର୍ମା ମଧ୍ୟ ଟ୍ୱିଟ୍ କରି ରାଜ୍ୟସଭାରେ ବିଲକୁ ସମର୍ଥନ ଦେବା ଉପରେ ପୁନର୍ବିଚାର କରିବାକୁ ଦଳର ମୁଖିଆ ନୀତିଶ କୁମାରଙ୍କୁ ଅପିଲ କରିଛନ୍ତି ।

 ସେପେଟ ଶିବସେନା ମଧ୍ୟ ବିଜେପିର ଅଡୁଆ ବଢାଇଛି । ଦଳର ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଲୋକସଭାରେ ନାଗରିକତା ବିଲରେ କିଛି ସଂଶୋଧନ ଦାବି କରାଯାଇଛି । ଯାହାର ଉତର ଗୃହମନନ୍ତ୍ରୀ ଅମିତ ଶାହା ଦେଇ ନାହାନ୍ତି । ତେଣୁ ରାଜ୍ୟସଭାରେ ବିସ୍ତୃତ ଆଲୋଚନା ନ ହେଲେ ଦଳ ସମର୍ଥନ ଦେବ ନାହିଁ  ବୋଲି ଉଦ୍ଧବ ଠାକରେ କହିଛନ୍ତି । ତେଣୁ ଶିବସେନା ଓ ଜେଡିୟୁ ଯଦି ବିଲକୁ ସମର୍ଥନ ନକଲେ ଏନଡିଏ ଅଡୁଆ ବଢିବା ସମ୍ଭାବନା ରହିଛି ।