ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ : ନାଗରିକତାର ନିୟମ କ’ଣ ? କ’ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର ? . . . . ପଢ଼ନ୍ତୁ ପୁରା ରିପୋର୍ଟ

721

କନକ ବ୍ୟୁରୋ : ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍ । ଗୃହମନ୍ତ୍ରୀ ଅମିତ ଶାହା ଆଜି ନାଗରିକତା ସଂଶୋଧନ ବିଲ୍ -୨୦୧୯ ଲୋକସଭାରେ ଆଗତ କରିଛନ୍ତି । ଏହି ସଂଶୋଧନ ବିଲକୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଛି । ଏହି ବିଲ୍ ଅନୁସାରେ ଦେଶରେ ଥିବା ଶରଣାର୍ଥୀଙ୍କୁ ମିଳୁଥିବା ନାଗରିକତା ନିୟମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯିବ ।

ଏହି ବିଲ୍ ଲାଗୁ ହେଲେ, ଦେଶରେ ବେଆଇନ ଭାବେ ରହୁଥିବା ବାହାର ଦେଶର ନାଗରିକ ଦେଶରୁ ବିଦା ହେବେ । ଲୋକସଭାରେ ଗୃହୀତ କରାଇବା ପରେ ଏହାକୁ ତୁରନ୍ତ ରାଜ୍ୟସଭାରେ ଆଗତ କରାଯିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବିଜେପି ହୁଇପ୍ ଜାରି କରିଛି । କିନ୍ତୁ ଏହାକୁ ନେଇ ବିରୋଧୀ ଦଳ ପ୍ରତିବାଦ କରୁଛନ୍ତି । ନୂଆ ବିଲକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ବିଲ କ’ଣ ସବୁ ବିବାଦ ରହିଛି, ପୂର୍ବରୁ କ’ଣ ଥିଲା, ଏବଂ ପରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି, ଜାଣନ୍ତୁ ଏହି ଦଶଟି କଥା :

୧. ମୋଦୀ ସରକାର ଯେଉଁ ନୂଆ ବିଲ ଆଣୁଛନ୍ତି, ତାହାକୁ ନାଗରିକତା ସଂଶୋଧନ ବିଲ୍ -୨୦୧୯ (ସିଟିଜେନ ଆମେଣ୍ଡମେଣ୍ଟ ବିଲ-୧୯) ର ନାମ ଦିଆଯାଇଛି । ଏହି ବିଲ ଆସିବା ଫଳରେ ସିଟିଜେନ ଆକ୍ଟ, ୧୯୫୫ରେ ପରିବର୍ତ୍ତନ ହେବ ।

୨. ଏହି ବିଲ ଅନୁସାରେ, ଆଫଗାନିସ୍ତାନ, ବାଙ୍ଗଲାଦେଶ, ପାକିସ୍ତାନରୁ ଆସୁଥିବା ହିନ୍ଦୁ , ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଈସାଈ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

୩. ଏଥି ସହିତ ଏହି ସମସ୍ତ ଶରଣାର୍ଥୀ ଭାରତରେ ଅବୈଧ ନାଗରିକ ଭାବେ ଆଉ ପରିଚିତ ହେବେ ନାହିଁ । ସଂଶୋଧିତ ବିଲରେ ଭାରତକୁ ଅବୈଧ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯିବ କିମ୍ବା ଗିରଫ କରାଯିବ ।

୪. ଏବେ ସମସ୍ତ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପାଇବା ପାଇଁ ପାଖାପାଖି ୬ବର୍ଷ ରହିବାକୁ ପଡିବ । ପୂର୍ବରୁ ଏହାର ସମୟସୀମା ୧୧ବର୍ଷ ଥିଲା ।

୫. ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମର ଇନର ଲାଇନ ପରମିଟ ଏରିଆକୁ ଏହି ବିଲ ଅନ୍ତର୍ଭୁକ୍ତ କରାଯ୍ଧବ ନାହିଁ ।

୬. ସଂଶୋଧିତ ବିଲରେ ଆଫଗାନିସ୍ତାନ-ବାଙ୍ଗଲାଦେଶ-ପାକିସ୍ତାନରୁ ଆସୁଥିବା କୌଣସି ହିନ୍ଦୁ, ଜୈନ, ଶିକ,ବୌଦ୍ଧ, ଈସାଈ ନାଗରିକ ଯିଏକି ୩୧ଡିସେମ୍ବର, ୨୦୧୪ ପୂର୍ବରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ ।

୭. ଏମାନଙ୍କ ମଧ୍ୟରୁ ଯେଉଁମାନେ ଓସିଆଇ ହୋଲ୍ଡର, ଯଦି ସେ କୌଣସି ଆଇନର ଉଲ୍ଲଙ୍ଘନ କରିଥାଏ ତାହାଲେ ତାକୁ ଗୋଟେ ଥର ପାଇଁ ତାହାର ସପକ୍ଷ ରଖିବାକୁ ଅନୁମତି ପ୍ରଦାନ କରାଯିବ ।

୮. ବିରୋଧୀ ଦଳ ସଂଶୋଧିତ ବିଲକୁ ବିରୋଧ କରି ଆସୁଛି ଏବଂ ଭାରତରେ ସମ୍ବିଧାନର ଉଲ୍ଲଙ୍ଘନ କରାଯାଉଥିବା କହିଛି । ବିରୋଧୀଙ୍କ କହିବା ମୁତାବକ କେନ୍ଦ୍ର ସରକାର ଯେଉଁ ବିଲ ଆଣୁଛନ୍ତି, ତାହା ଦେଶରେ ଧର୍ମ ଧର୍ମ ବିରୁଦ୍ଧରେ ପାଚେରୀ ହୋଇ ଠିଆ ହେବ । ଯାହା ସମାନତା ଅଧିକାରର ଆଇନ ବିରୁଦ୍ଧ ।

୯. ପୂର୍ବାଞ୍ଚଳରେ ଏହି ବିଲକୁ ସବୁଠାରୁ ଅଧିକ ବିରୋଧ କରାଯାଉଛି । ପୂର୍ବାଞ୍ଚଳରେ ଲୋକଙ୍କ କହିବା ମୁତାବକ, ବାଙ୍ଗଲାଦେଶରେ ଅଧିକ ହିନ୍ଦୁ ଆସି ଆସାମ, ଅରୁଣାଚଳ, ମଣିପୁର ଭଳି ରାଜ୍ୟରେ ବସବାସ କରୁଛନ୍ତି । ସେଠାକାର ଅନେକ ଛାତ୍ର ସଂଗଠନ , ରାଜନୀତିକ ଦଳ ଏହାକୁ ବିରୋଧ କରୁଛନ୍ତି ।

୧୦. ଏନଡିଏ ରେ ଭାରତୀୟ ପାର୍ଟିର ସମସ୍ତ ସାଥୀ ଆସାମ ଗଣ ପରିଷଦ ମଧ୍ୟ ଏହି ସଂଶୋଧିତ ବିଲକୁ ବିଲକୁ ବିରୋଧ କରିଆସୁଛନ୍ତି ।