ଚିତ୍ରକୋଣ୍ଡାରେ ବିପଦ ଡାକୁଛି ଭରା ନଈ : ଅକାତକାତ ପାଣିରେ ଡଙ୍ଗାକୁ କାମ ଦଉନି କାତ, ଦଉଡି ଯୋଗେ ବର୍ଷ ବର୍ଷ ଧରି ନଦୀ ପାର ହେଉଛନ୍ତି ଛଅ ପଂଚାୟତର ହଜାର ହଜାର ଲୋକ

323

କନକ ବ୍ୟୁରୋ : ବିପଦ ଡାକୁଚି ଭରା ନଈ । କେତେ ବେଳେ କିଛି ବି ଘଟିପାରେ । ଟିକିଏ ଅସାବଧାନ ହେଲେ ଅକାତ କାତ ପାଣିରେ ବୁଡିଯିବ ଡଙ୍ଗା । କାରଣ ଏ ଡଙ୍ଗା କୌଣସି କାତରେ ଚାଲୁନି । ଡଙ୍ଗାରେ ଥିବା ଇଂଜିନ ବି କାମ କରୁନି । ଡଙ୍ଗାରେ ନାହିଁ ଲାଇଫ୍ ଜାକେଟ୍ । ଆଉ ଏହା ଚାଲୁଚି ଦଉଡି ଭରସାରେ । ଗମନାଗମନର ଏ ବିକଳ ଚିତ୍ର ହେଉଛି ରାଜ୍ୟର ଉପାନ୍ତ ଚିତ୍ରକୋଣ୍ଡା ଅଂଚଳର । ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା କହୁଛନ୍ତି । ବିକାଶର ନାରା ବି ଦେଉଛନ୍ତି । ହେଲେ ଏ ହେଉଛି ମାଲକାନଗିରି ଭଳି ଆଦିବାସୀ ବହୁଳ ଅଂଚଳର ଚିତ୍ରକୋଣ୍ଡାର ବିକାଶର ବାସ୍ତବ ଚିତ୍ର । ଜଳଭଣ୍ଡାରର ଅକାତ କାତ ପାଣିରେ କାମ ଦେଉନି କାତ । ପାଣି ପାର ହୋଇ ଯିବାକୁ ମୋଟର ବୋଟ୍ ବି ନାହିଁ ।

ବାଧ୍ୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରିବାକୁ ୬ଟି ପଂଚାୟତର ୪୦ ହଜାର ଲୋକଙ୍କ ଭରସା ପାଲଟିଛି ଏହି ଭଂଗା ଦଦରା ଡଙ୍ଗା । ଚିତ୍ରକୋଣ୍ଡାର ଦୋରାଗୁଡା, ନୂଆଗୁଡା, ଗୁଣ୍ଠାବେଡା, ପୋପଲୁର, କୋପାତୁଟି, କୁର୍ମାନୁର ଭଳି ୬ଟି ପଂଚାୟତର ଲୋକଙ୍କ ପାଇଁ ଏ ହେଉଛି ପ୍ରତିଦିନର ସମସ୍ୟା । ସବୁଠାରୁ ବଡ କଥା ହେଉଛି ଯଦି ଘାଟରେ ନାଉରିଆ ନାହିଁ ତେବେ ଲୋକେ ଅଧା ବାଟରୁ ବାଧ୍ୟ ହୋଇ ଫେରିଯାଇଥାନ୍ତି । ଏହି ୬ଟି ପଂଚାୟତରୁ ସ୍ଥଳ ପଥରେ ଚିତ୍ରକୋଣ୍ଡାକୁ ଆସିବାକୁ ବାଟ ରହିଛି । ତେବେ ଗୋଡି ମୋଟର ସମସ୍ୟା ସହିତ ଏଥିରେ ଅନେକ ଖର୍ଚ ହେଉଛି ।

ସେଥିପାଇଁ ଲୋକେ ଭରସା କରୁଛନ୍ତି ଏହି ଜଳପଥକୁ । ବାରମ୍ୱାର ଦାବି ପରେ ବି ୪୦ ହଜାର ଲୋକଙ୍କ ପାଇଁ ସରକାର ୨ ବର୍ଷ ତଳେ ବ୍ରିଜ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଏହାର କାମ ଏବେ ବି ଆରମ୍ଭ ହୋଇନି । ଆଗକୁ ତୁରନ୍ତ ଏହାର କାମ ଆରମ୍ଭ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।