କାହଁକି ଚିଲିକାରେ ଉଡ଼ିପାରିବନି ସିପ୍ଲେନ୍ ? ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ

34

କନକ ବ୍ୟୁରୋ : ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କି ସି-ପ୍ଲେନ୍‌ ଉଡ଼ାଣ ହୋଇପାରିବନି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଗତକାଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି । ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ ବିପକ୍ଷରେ ମତ ଦେଇଛନ୍ତି । ଚିଲିକାରେ ସି-ପ୍ଲେନ୍‌ ଉଡ଼ାଣ କାହିଁକି ସମ୍ଭବ ନୁହେଁ, ଏହାଦ୍ୱାରା କ’ଣ କ’ଣ କୁପ୍ରଭାବ ପଡ଼ିବ ସେନେଇ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚିଲିକାରେ ଓ୍ଵାଟର ଏରୋଡ୍ରମ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ସିଡିଏର ନକରାତ୍ମକ ରିପୋର୍ଟ ଏହା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେଲେ ଏହାର ଜୈବ ବିବିଧତା, ଚିଲିକାକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାକୁ ଥିବାରୁ ଏଠାରେ ସି ପ୍ଲେନ୍‌ ଉଡ଼ାଣ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି ।

ସିଡିଏ କର୍ତ୍ତୃପକ୍ଷ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଚିଲିକାରେ ବିଶ୍ୱର ସବୁଠୁ ଅଧିକ ଇରଓ୍ଵାଡି ଡଲଫିନ୍‌ ଏଠାରେ ଦେଖାଯାଆନ୍ତି । ବିଶେଷତଃ ଚିଲିକାର ଆଉଟର ଚ୍ୟାନେଲ୍‌, ଦକ୍ଷିଣ ଦିଗରେ ଅଧିକ ଡଲଫିନ୍‌ ଦେଖାଯାଆନ୍ତି । ଏବେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା ପରେ ଉତ୍ତର ଦିଗରେ ବି ଡଲଫିନ୍‌ ଚଳପ୍ରଚଳ କରୁଛନ୍ତି। ଏଠାରେ ମୋଟ୍‌ ୧୫୫ଟି ଇରଓ୍ଵାଡି ଡଲଫିନ୍‌ ଥିବାବେଳେ ଭାରତୀୟ ବନ୍ୟଜନ୍ତୁ (ସୁରକ୍ଷା) ଆଇନ ୧୯୭୨ ଅନୁଯାୟୀ ସୁରକ୍ଷା ଯୋଗାଯାଉଛି । ୧୦୦ ଡେସିବେଲ୍‌ରୁ ଅଧିକ ଶବ୍ଦ ହେଲେ ସେମାନଙ୍କ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଅଛି ।

 

ସେହିପରି ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ୍‌ ମାଛ ଉତ୍ପାଦନ ହେଉଥିବାବେଳେ ଏହା ଉପରେ ୨ଲକ୍ଷ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି । ବିମାନର ଅବତରଣ ଏବଂ ଉଡ଼ାଣ ସମୟରେ ସୃଷ୍ଟି ହେବାକୁ ଥିବା କମ୍ପନ ଦ୍ୱାରା ମାଛମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ । ଏହାସହ ଚିଲିକାକୁ ୩୩୫ ପ୍ରଜାତିର ମାଛ, ୨୩୫ ପ୍ରଜାତିର ପକ୍ଷୀ, ୭୨୯ ପ୍ରଜାତିର ବୃକ୍ଷ ଓ ଗୁଳ୍ମ, ୩୦ ପ୍ରଜାତିର ସରୀସୃପ ରହୁଥିବାରୁ ଏହାର ଜୈବ ବିବିଧତା ଉପରେ ଘୋର୍‌ ପ୍ରଭାବ ପଡ଼ିବ । ବିମାନ ଉଡ଼ାଣ ଏବଂ ଶବ୍ଦ ଯୋଗୁଁ ବିଭିନ୍ନ ପ୍ରଜାତିର ମାଛ ଓ ପକ୍ଷୀ ପ୍ରଭାବିତ ହେବେ ।

ସିଡିଏ ଏହି ସବୁ କାରଣ ଦର୍ଶାଇଥିବାରୁ ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବା ଏକପ୍ରକାରର ଅସମ୍ଭବ ବୋଲି କୁହାଯାଉଛି । ଅପରପକ୍ଷେ ବିଜେଡିର କେତେକ ବିଧାୟକ ଏହି ଯୋଜନାକୁ ଖୋଲାଖୋଲି ବିରୋଧ କରିଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୋଜନା ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି ।