କୁନି ଚିତ୍ରଶିଳ୍ପୀ ସାନା କର୍ମକାର : ହାତରେ ଅଛି ଯାଦୁ, ତୁଳୀରେ ତୋଳି ଦେଉଛନ୍ତି ସୁନ୍ଦର ସୁନ୍ଦର ପ୍ରତିଛବି

239

କନକ ବ୍ୟୁରୋ : କୁନି ଚିତ୍ରଶିଳ୍ପୀର ହାତରେ କୁହୁକ ଶକ୍ତି । କୁନି ହାତରେ ଅଛି ଯାଦୁ । ଅନନ୍ୟ ପ୍ରତିଭାର ଅଧିକାରୀ । କଟକର କୁନି ଚିତ୍ରକାର ସାନା କର୍ମକାର ଚିତ୍ରରେ ରଙ୍ଗ ଦେଇ ଚିତ୍ରକୁ  ଜୀବନ୍ତ ରୂପ ଦେଉଛନ୍ତି । ଯାହା ଦେଖନ୍ତି ଅବିକଳ ସେହିପରି ଚିତ୍ର ନିଜ ତୂଳୀରେ ଫୁଟାଇପାରନ୍ତି । ଅଳ୍ପ ବୟସରୁ ଚିତ୍ରକଳା ମାଧ୍ୟମରେ ଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିବା ସହ ଅନେକ ପୁରସ୍କାର ମଧ୍ୟ ପାଇସାରିଲେଣି । ଆର୍ଥିକ ଅନଟନ ସତ୍ୱେ ଚିତ୍ର ଆଙ୍କିବା ନିଶାରେ ଭଟ୍ଟା ପଡ଼ିନି । ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ କୁନି ହାତରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ପ୍ରତିଛବି ।

କଟକର ସାନା କର୍ମକାର । କଟକ କାଳୀବଜାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର୍ରୀ । ପିଲାଟି ବେଳରୁ କଳାମନସ୍କ । ଚିତ୍ର ଆଙ୍କିବାରେ ପ୍ରବଳ ଇଚ୍ଛା । ନିଜ ଭାବନାକୁ ପେନ୍ ପେପର୍ ଗାରେଇପାରେ ବ୍ୟସ୍ତ । ଦେଖିଲେ ଚୁପ ବସିପାରନ୍ତି ଏହି କୁନି ବାଳିକା ଜଣକ ।  ଅତି ନିଖୁଣ ଭାବେ ଚିତ୍ରକୁ ତୋଳି ଧରନ୍ତି ୧୩ ବର୍ଷିୟା ସାନା କର୍ମକାର । କେତେବେଳେ ବନପାହାଡ଼ ଘେରା ଗାଁ ତ ଆଉ କେତେବେଳେ ନଦୀକୂଳ ଆଉ କେତେବେଳ ପୁରା ପ୍ରକୃତିକୁ ନିଜ ହାତ ମୁଠାରେ ବାନ୍ଧିପକାନ୍ତି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ରି ଜାତିର ପିତା ମହାତ୍ମାଗାନ୍ଧୀ , ବଲିଉଡ଼୍ ଅମିତାଭ୍ ବଚ୍ଚନ୍ ସମସ୍ତଙ୍କୁ ନିଖୁଣ ଭାବେ ତୁଳୀରେ ତୋଳି ଧରନ୍ତି କୁନି ଝିଅ ସାନା । ତାଙ୍କର ପେଣ୍ଟିଂ ଦେଖିଲେ ମନେହେବ ପେଣ୍ଟିଂ ନୁହେଁ ତ ସତସତିକା ଭାବବ୍ୟକ୍ତ କରୁଥିବା ମଣିଷଟିଏ । ସାନାଙ୍କ ହାତରେ ଚିତ୍ର ସବୁ ଜୀବନ୍ତ ଲାଗେ ।

ତେବେ ସାନାଙ୍କ ଚିତ୍ରକଳା ପଛରେ ଅଛି ତାଙ୍କ ମା’ଙ୍କ ପ୍ରେରଣା । ପ୍ରଥମେ ସେ ତାଙ୍କ ମା’ଙ୍କ ଏକ ଚିତ୍ର ଆଙ୍କିଥିଲେ । କେବଳ ଚିତ୍ର ଆଙ୍କିବାରେ ନୁହେଁ ସାନା ଜଣେ ମେଧାବୀ ଛାତ୍ରୀ ମଧ୍ୟ । ଖୁବ୍ ସୁନ୍ଦର ଅକ୍ଷର ମଧ୍ୟ ତାଙ୍କର । ତାଙ୍କ ଚିତ୍ରକଳା ପାଇଁ ସାଇପଡ଼ିସା ଓ ଶିକ୍ଷକଶିକ୍ଷୟିତ୍ରୀ ସାନାଙ୍କୁ ଭାରି ଭଲପାଆନ୍ତି । ଭବିଷ୍ୟତରେ ସେ ଜଣେ ଜାତୀୟ ସ୍ତରର ଚିତ୍ରଶିଳ୍ପୀ ହୋଇପାରିବେ ବୋଲି ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।