ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ! ଅସଦାଚରଣ ଅଭିଯୋଗକୁ ଖଣ୍ଡନ କଲେ ଜଷ୍ଟିସ ରଂଜନ ଗୋଗୋଇ, କହିଲେ ନ୍ୟାୟାଳୟର ସ୍ୱାଧୀନତା ପ୍ରତି ରହିଛି ବଡ ବିପଦ

310

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ କଡା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ନ୍ୟାୟାଳୟର ସ୍ୱାଧୀନତା ପ୍ରତି ରହିଛି ଭୟଙ୍କର ବିପଦ । ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଜରୁରି ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ଖବରର ପ୍ରସାରଣର ସତତ୍ୟ ନେଇ ପ୍ରଶ୍ନ କରିଛନ୍ତି ।

ଆଉ ଏଥିରେ ନିଜ ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି । ଏ ଘଟଣା ପଛରେ କୌଣସି ବଡ଼ ଶକ୍ତିର ହାତ ରହିଛି । ୨୦ ବର୍ଷର ନିସ୍ୱାର୍ଥ ସେବା ପରେ ଏପରି ପୁରସ୍କାର ମିଳିଛି । ମୋତେ ଧନ ମାମଲାରେ କେହି ଫସାଇ ପାରିଲେ ନାହିଁ, ତେଣୁ ଏ ମାମଲାରେ ମୋତେ ବଦନାମ କରିବା ପାଇଁ ଅଚେଷ୍ଟା କରାଯାଉଛି । ନ୍ୟାୟାଧୀଶ ଅନୁସାରେ ୨୦ ବର୍ଷ ସେବା କରିବା ପରେ ବି ମୋର ବ୍ୟାଙ୍କ ବାଲାନ୍ସ ମାତ୍ର ୬.୮୦ ଲକ୍ଷ ଟଙ୍କା ।

ସେହିପରି ବିଚାରପତି ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନା ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି । ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ନେଇ ଖବର କେତେକ ୱେବ୍-ମେଡିଆରେ ଖବର ପ୍ରକାଶ ପାଇଥିଲା । ଏହାକୁ ଅତି ଗୁରୁତର ସହ ନେଇ ଆଜି ଶୁଣାଣି କରିଛନ୍ତି ଖଣ୍ଡପୀଠ । ସିଜେଆଇଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

କାରଣ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଓ ସେ ଜେଲ ଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ଆଗକୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଥିବା ମାମଲା, ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମାର ରିଲିଜ୍ ଭଳି ମାମଲାର ଶୁଣାଣି ଥିବାରୁ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ମୁଖ୍ୟ ବିଚାରପତି ।